ରାମ ମନ୍ଦିର ଭୂମି ପୂଜନ ସମ୍ପନ୍ନ ପଛର ୧୦ ପ୍ରମୂଖ ବିନ୍ଧାଣୀ

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ ୦୬।୦୮: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସହ ଶିଳାନ୍ୟାସ ହୋଇଛି । ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦୀର୍ଘ ଦଶନ୍ଧି ଧରି ଏହାକୁ ନେଇ ଜାରି ରହିଥିବା ବିବାଦର ସମାଧାନ ହୋଇଥିଲା । ଆଜି ଏହି ରାମ ମନ୍ଦିର ନିର୍ମାଣ ପଛରେ ରହିଛି ଅନେକ ବ୍ୟକ୍ତିଙ୍କ ଅବଦାନ । ତେବେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ପ୍ରମୁଖ କର୍ଣ୍ଣଧାର।

- ଲାଲ୍କୃଷ୍ଣ ଆଡ୍ଭାନୀ : ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡ୍‌ଭାନୀ ହେଉଛନ୍ତି ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା । ରାମ ମନ୍ଦିର ନିର୍ମାଣ ପାଇଁ ସେ ୧୯୯୦ରେ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ଗୁଜୁରାଟର ସୋମନାଥ ମନ୍ଦିରଠାରୁ ଅଯୋଧ୍ୟା ଅଭିମୁଖେ ବାହାରିଥିଲା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନ ସମର୍ଥନ ଯୋଗାଡ କରିବାଥିଲା ଏହାର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଆଡଭାନୀ ଏକ ଟୟୋଟା ବସ୍‌ରେ ଶୋଭାଯାତ୍ରା କରିଥିଲେ । କିନ୍ତୁ ଶୋଭାଯାତ୍ରା ପହଞ୍ଚିବା ପୂର୍ବରୁ ସେତେବେଳର ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ସମସ୍ତିପୁରା ଜିଲ୍ଲାରେ ଆଡଭାନୀଙ୍କୁ ଗିରଫ କରାଯାଇଥିଲା । ଏହାର ଦୁଇବର୍ଷ ପରେ ବାବ୍ରୀ ମସଜିଦ୍‌ ନିକଟରେ ଆଡଭାନୀ ପୁଣି ଏକ ସଭା କରିଥିଲେ । ସେତେବେଳେ ଅର୍ଥାତ ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦ ଭଙ୍ଗାଯାଇଥିଲା ।

- ପ୍ରମୋଦ ମହାଜନ : ପ୍ରମୋଦ ମହାଜନ ବିଜେପି ପାଇଁ ମାଷ୍ଟର ପ୍ଲାନ କରନ୍ତି । ୧୯୯୦ରେ ସେ ବିଜେପିର ସାଧାରଣ ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସେ ହିଁ ଅଯୋଧ୍ୟାକୁ ପଦଯାତ୍ରା ନକରି ରଥଯାତ୍ରା କରିବାକୁ ଆଡଭାନୀଙ୍କୁ କହିଥିଲେ । ବିଜେପିର ଆଦର୍ଶ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ସେପ୍ଟେମ୍ବର ୨୫ କିମ୍ବା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ରେ ଯାତ୍ରା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶରେ ସେପ୍ଟେମ୍ବର ୨୫ରୁ ୧୦ ହଜାର କିମି ରଥଯାତ୍ରା ଆରମ୍ଭ ହୋଇଥିଲା । ନରେନ୍ଦ୍ର ମୋଦୀଙ୍କ ସହାୟତାରେ ଏହି ରଥଯାତ୍ରାର ସମ୍ପୂର୍ଣ୍ଣ ଯୋଜନା ଓ ପରିଚାଳନା କରିଥିଲେ ପ୍ରମୋଦ ।

-ଅଶୋକ ସିଂଘଲ ଅଶୋକ ସିଂଘଲ ଥିଲେ ବିଶ୍ୱହିନ୍ଦୁ ପରିଷଦର ଟାଣୁଆ ନେତା । ରାମ ମନ୍ଦିର ନିର୍ମାଣ ପାଇଁ ସେ ଜନସମର୍ଥନ ଯୋଗାଡରେ ସେ ବିଶେଷ ଭୂମିକା ନିର୍ବାହ କରିଥିଲେ । ୨୦୧୧ ପର୍ଯ୍ୟନ୍ତ ସେ ବିଶ୍ୱହିନ୍ଦୁ ପରିଷଦର ମୁଖ୍ୟ ମଧ୍ୟ ଥିଲେ । ଶରୀର ଅସୁସ୍ଥତା ହେତୁ ସେ ଇସ୍ତଫା ଦେଇଥିଲେ । ୨୦୧୫ରେ ତାଙ୍କର ଦେହାନ୍ତ ହୋଇଥିଲା ।

- ମୂରଲୀ ମନୋହର ଯୋଶୀବିଜେପି ନେତା ମୂରଲୀ ମନୋହର ଯୋଶୀ ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ଦଳର ମାର୍ଗଦର୍ଶକ ଥିଲେ । ୧୯୯୨ରେ ବାବ୍ରୀ ମସଜିଦ୍‌ ଭଙ୍ଗା ବେଳେ ଆଡଭାନୀଙ୍କ ସହିତ ସେ ମଧ୍ୟ ରଥଯାତ୍ରାରେ ଯୋଗ ଦେଇଥିଲେ । ଏଥିପାଇଁ ତାଙ୍କୁ ମଧ୍ୟ ଆଇନ ଜାଲରେ ଛନ୍ଦି ହେବାକୁ ପଡିଥିଲା । ବାବ୍ରୀ ମସଜିଦ ଭଙ୍ଗାଯିବା ପରେ ଯୋଶୀ ଓ ଉମାଭାରତୀ ଖୁସିରେ ପରସ୍ପରକୁ ଆଲିଙ୍ଗନ କରିବାର ଏକ ଫଟୋ ସେତେବେଳେ ବେଶ୍‌ ଚର୍ଚ୍ଚିତ ହୋଇଥିଲା।

-ଉମା ଭାରତୀ : ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ନେତ୍ରୀ ଉମା ଭାରତୀଙ୍କର ମଧ୍ୟ ଅନେକ ଅବଦାନ ଅଛି । ବାବ୍ର୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣାର ତଦନ୍ତ କରିବା ପାଇଁ ଗଠିତ ଲିବେରହାନ କମିଶନ ଉମାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା।

-ସାଧ୍ୱୀ ଋତମ୍ବରା : ଉମା ଭାରତୀଙ୍କ ପରେ ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ଯେଉଁ ମହିଳାଙ୍କୁ
ଶ୍ରେୟ ଦିଆଯାଏ ସେ ହେଲେ ସାଧ୍ୱୀ ଋତମ୍ବରା । ରାମ ମନ୍ଦିର ନିର୍ମାଣ ପାଇଁ ଜନ ସମର୍ଥନ ଯୋଗାଡ଼ କରିବା ଓ ଦେଶବାସୀଙ୍କୁ ଏକାଠି କରିବାରେ ସେ ବିଶେଷ ଭୂମିକା ନିଭାଇଥିଲେ । ରାମ ଜନ୍ମଭୂମି ସମ୍ପର୍କିତ ତାଙ୍କ ଅନେକ ଭାଷଣକୁ କ୍ୟାସେଟ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯାଇଥିଲା ।

- କଲ୍ୟାଣ ସିଂହଯେତେବେଳେ ବାବ୍ରୀ ମସଜିଦ୍‌ ଭଙ୍ଗା ହେଲା, ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ । ବାବ୍ରୀ ମସଜିଦ୍‌ ଭାଙ୍ଗୁଥିବା କର ସେବକଙ୍କ ଉପରେ ପୁଲିସ ଫୋର୍ସ ନ ଲଗାଇବାକୁ ସେ ନିଷ୍ପତ୍ତି ନେଇଥିଲେ । ପରେ ସେ ବିଜେପି ସହିତ ବିଦ୍ରୋହ କରି ଦଳରୁ ବହିଷ୍କୃତ ହୋଇଥିଲେ । ପରେ ପୁଣି ଦଳକୁ ଫେରିଥିଲେ। ବିଜେପି ୨୦୧୪ରେ ରାଜସ୍ଥାନର ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲା ।

-ବିନୟ କଟିୟାର : ବଜରଙ୍ଗ ଦଳର ଟାଣୁଆ ଲିଡର ହେଉଛନ୍ତି ବିନୟ କଟିୟାର । ରାମ ମନ୍ଦିର ନିର୍ମାଣ ଅଭିଯାନ ୧୯୮୪ରେ ବଜରଙ୍ଗ ଦଳ ପ୍ରଥମେ ଆରମ୍ଭ କରିଥିଲା । ଏହାର ପ୍ରଥମ ସଭାପତି ଥିଲେ ବିନୟ କଟିୟାର । ୧୯୯୨ରେ ତାଙ୍କର ରାଜନୈତିକ ପ୍ରଭାବ ବଢିବାରେ ଲାଗିଲା । ପରେ ସେ ବିଜେପିର ସାଧାରଣ ସମ୍ପାଦକ ହେଲେ । ତା’ସହିତ ରାଜ୍ୟସଭା ଓ ଲୋକସଭା ସଦସ୍ୟ ମଧ୍ୟ ହୋଇଥିଲେ ।

-ପ୍ରବୀଣ ତୋଗାଡ଼ିଆ: ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ପ୍ରବୀଣ ତୋଗଡ଼ିଆଙ୍କୁ ଜଣେ ଆଗଧାଡ଼ିର ସୈନିକ ବୋଲି କୁହାଯାଏ । ସେ ତାଙ୍କର ଉତ୍ତେଜନାପୂର୍ଣ୍ଣ ଭାଷଣ ପାଇଁ କଟ୍ଟର ହିନ୍ଦୁବାଦୀ ନେତା ଭାବେ ପରିଚିତ । ଅଶୋକ ସିଂଘଲଙ୍କ ପରେ ତୋଗାଡ଼ିଆ ବିଶ୍ୱ ହିନ୍ଦୁ ପରିଷଦର ମୁଖ୍ୟ ହୋଇଥିଲେ । କିନ୍ତୁ ବିଜେପିରେ ଆଡଭାନୀଙ୍କ ପ୍ରଭାବ ହ୍ରାସ ପାଇବା ଓ ସଂଘ ପରିବାରରୁ ତୋଗାଡ଼ିଆଙ୍କ ପ୍ରଭାବ କମୁଥିବା ସେ ଅନୁଭବ କରିଥିଲେ । ସେ ଅନେକଥର ବିଜେପି ଓ ମୋଦୀଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

୧୦-ବିଷ୍ଣୁହରି ଡାଲମିଆଶିଳ୍ପପତି ତଥା ବିଶ୍ୱ ହିନ୍ଦୁ ପରିଷଦର ବିଭିନ୍ନ ଦାୟିତ୍ୱରେ କାମ କରିଥିବା ବିଷ୍ଣୁହରି ଡାଲମିଆ ମଧ୍ୟ ରାମ ମନ୍ଦିର ନିର୍ମାଣରେ ଅନେକ ଭୂମିକା ନିଭାଇଛନ୍ତି । ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାରେ ତାଙ୍କ ନାଁ ବି ଅଭିଯୋଗ ଫର୍ଦ୍ଦରେ ଯୋଡ଼ି ହୋଇଥିଲା । ୨୦୧୯ ଜାନୁଆରୀରେ ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.