ଚିନ୍ତା ବଢାଇଲା କରୋନା: ରାୟପୁରରେ ଲକ୍ଡାଉନ୍ ଘୋଷଣା, ଜିଲ୍ଲାର ସମସ୍ତ ସୀମା ହେବ ସିଲ୍
7/04/2021 at 5:32 PM

ରାୟପୁର ୦୭।୦୪: ଛତିଶଗଡରେ କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ଛତିଶଗଡ ସରକାର। ଏହି କ୍ରମରେ ରାଜଧାନୀ ରାୟପୁରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଥିସହ ପୂରା ରାୟପୁର ଜିଲ୍ଲାରେ ୧୦ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ ୯ରୁ ଲକ୍ଡାଉନ୍ ଆରମ୍ଭ ହେଉଥିବା ରାୟପୁର ଜିଲ୍ଲାପାଳ ଏସ ଭାରତୀ କହିଛନ୍ତି।
ଲକ୍ଡାଉନ୍ ସମୟରେ ଜିଲ୍ଲାର ସମସ୍ତ ସୀମା ସିଲ୍ ରହିବ। ଶୁକ୍ରବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହେଉଥିବା ଲକ୍ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ଦୋକାନ ଯଥା ପନିପରିବା, କ୍ଷୀର, ମେଡିସିନ ଦୋକାନ ଖୋଲା ରହିବ। କରୋନା ଯୋଦ୍ଧାଙ୍କୁ ଲକ୍ଡାଉନ୍ରୁ କୋହଳ ଦିଆଯାଇଛି।
ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ, ଲକ୍ଡାଉନ୍ ସମୟରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିବ। କିନ୍ତୁ ଏହି କଟକଣାରୁ ଉଦ୍ୟୋଗକୁ ରିହାତି ଦିଆଯାଇଛି। ଯଦି ଶ୍ରମିକ ଉଦ୍ୟୋଗ ପରିସରରେ ରହିବେ ତେବେ ଉକ୍ତ ଉଦ୍ୟୋଗ ସଂସ୍ଥା ଚାଲୁ ରହିବ, ନଚେତ୍ ବନ୍ଦ ରହିବ।
ଏଥିସହ କୌଣସି ଧାର୍ମିକ ସ୍ଥାନ ଖୋଲା ରହିବ ନାହିଁ। ନବରାତ୍ର ସମୟରେ ମନ୍ଦିର ମଧ୍ୟ ବନ୍ଦ ରହିବ। ଅନ୍ୟପଟେ ଲକ୍ଡାଉନ୍ ନିୟମର ଉଲ୍ଲଂଘନ ଉପରେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଆବଶ୍ୟକ ସ୍ଥିତିରେ ଅଫିସ୍ ଆସୁଥିବା ଲୋକଙ୍କ ପାଇଁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ। ପେଟ୍ରୋଲ ପମ୍ପରେ ଚିହ୍ନଟ ସେବାରେ ଜଡିତ ଲୋକଙ୍କୁ ପେଟ୍ରୋଲ ମିଳି ପାରିବ। ଜରୁରୀକାଳୀନ ସମୟରେ ଚାରି ଚକିଆ ଗାଡିରେ ଏବଂ ଅଟୋରେ ଡ୍ରାଇଭର ସହିତ ସର୍ବାଧିକ ୩ ଜଣଙ୍କୁ ବସିବାର ଅନୁମତି ମିଳିବ। ରେଲଓ୍ଵେ ଷ୍ଟେସନ ଓ ବିମାନ ବନ୍ଦର ପାଇଁ ଟ୍ୟାକ୍ସି ସେବା ଚାଲୁ ରହିବ। ଯଦି ଗାଡିର ଦୁରୁପଯୋଗ କରାଯାଏ ତେବେ ୧୫ ଦିନ ପାଇଁ ଜବତ୍ କରାଯିବ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।