କରୋନା କଟକଣାକୁ ଫୁ : ଭୁଲିଗଲେ ସାମାଜିକ ଦୂରତା, ଏକାସାଙ୍ଗରେ ଭୋଜି ଖାଇଲେ ଶତାଧିକ ଲୋକେ
12/07/2020 at 12:36 PM

ପଟ୍ଟାମୁଣ୍ଡାଇ ୧୨।୦୭: ସାରା ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । କରୋନା ସଂକ୍ରମଣରୁ କିପରି ରକ୍ଷା ପାଇବା , ସେଥିପାଇଁ ପ୍ରତିଦିନ ନୂଆ ନୂଆ ଯୋଜନା ମାନ ଘୋଷଣା ଚାଲିଛି । ଏପରିକି ଆବଶ୍ୟକ ଥିଲେ ଘରୁ ବାହାରକୁ ଆସନ୍ତୁ, ନହେଲେ ଘରୁ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଯାଗାରେ ଏକାଥରେ ବହୁ ଲୋକଙ୍କ ସମାଗମ ଉପରେ ରୋକ ଲଗାଯାଇଛି ।

ପୂଜା, ପାଠ ଓ ଧାର୍ମିକ ସ୍ଥଳରେ କୌଣସି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । କିନ୍ତୁ କିଛି ଲୋକଙ୍କୁ ନିୟମ ଭାଙ୍ଗିବା ପାଇଁ ପଣ ନେଇଛନ୍ତି । ଗତକାଲି ଗଞ୍ଜାମ ଜିଲ୍ଲାରେ କିପରି କରୋନା କଟକଣାକୁ ବେଖାତିର କରି ଶହ ଶହ ଲୋକ ଧାଡି ବାନ୍ଧି କଳସ ଯାତ୍ରା କରୁଥିଲେ, ତାହା ସମସ୍ତେ ଦେଖିଥିବା । ତେବେ ସେ ଘଟଣାକୁ ଗୋଟିଏ ଦିନ ନପୂରୂଣରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ।ଏଥର ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗାଁରେ ।

ପୁଣି ମହାମାରୀ କରୋନା କଟକଣାକୁ ଫୁ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗାଁରେ କରୋନା କଟକଣାକୁ ଭୁଲି ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକା ସାଙ୍ଗରେ ଶତାଧିକ ଲୋକ ଯୋଗ ଦେବା ସହ ସାମୁହିକ ଭୋଜିରେ ଖାଇବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ଚୁପ ବସିଛି । ତେବେ ଆସନ୍ତୁ ଦେଖିବା କିପରି ଚାଲିଛି ଏ ଦୃଶ୍ୟ…