ମାଡି ଆସୁଛି ଖରା : ଆଜିଠାରୁ ଅଧିକାଂଶ ସ୍ଥାନରେ ୨ରୁ ୪ଡିଗ୍ରି ବଢିବ ତାପମାତ୍ରା

Published By : Prameya-News7 Bureau | February 15, 2020 IST

ଭୁବନେଶ୍ବର ୧୫।୨: ଚଳିତବର୍ଷ ଶୀଘ୍ର ମାଡି ଆସୁଛି ଖରା । ସାଧାରଣତଃ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଏଥର ଫେବ୍ରୁଆରି ଚତୁର୍ଥ ସପ୍ତାହ ବେଳକୁ ଦେଶର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ । ଉଭୟ ଦିନ ଓ ରାତିର ତାପମାତ୍ରା ୭ରୁ ୮ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ।

ମହାରାଷ୍ଟ୍ର ସମେତ ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଆଗୁଆ ଗ୍ରୀଷ୍ମ ପ୍ରବାହ ହେବ । ଏହି ଅଞ୍ଚଳଗୁଡ଼ିକରେ ଫେବ୍ରୁଆରି ୨୦ ପରେ ଦିନ ଓ ରାତିର ତାପମାତ୍ରା ନିୟମିତ ଭାବେ ବୃଦ୍ଧି ପାଇବ । ଫେବ୍ରୁଆରି ୨୦ ତାରିଖ ମଧ୍ୟରେ ଦେଶର ୧୫ ପ୍ରତିଶତ ଅଞ୍ଚଳ ଯଥା ଉତ୍ତରପୂର୍ବ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଜାମ୍ମୁ ଓ କାଶ୍ମରୀ, ହିମାଞ୍ଚଳ ପ୍ରଦେଶ, ପଞ୍ଜାବର କେତେକ ଅଞ୍ଚଳରେ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫେବ୍ରୁଆରି ୨୧ରୁ ୨୭ ତାରିଖ ମଧ୍ୟରେ ଉକ୍ତ ଅଞ୍ଚଳଗୁଡ଼ିକରେ ଦିନର ତାପମାତ୍ରା ୩୫ରୁ ୪୦ ପ୍ରତିଶତ ବଢ଼ିବ । ଶେଷ ସପ୍ତାହ ବେଳକୁ ଗ୍ରୀଷ୍ମ ଦିନ ଭଳି ତାତି ଅନୁଭୂତ ହେବ।

ସେହିପରି ରାତିର ସର୍ବନିମ୍ନ ତାପମାତ୍ରା ବି ଧୀରେ ଧୀରେ ବୃଦ୍ଧି ପାଇବ । ୧୪ରୁ ୨୦ ତାରିଖ ମଧ୍ୟରେ ପାଖାପାଖି ୧୫ ପ୍ରତିଶତ ଅଞ୍ଚଳରେ ରାତିର ସ୍ବାଭାବିକ ତାପମାତ୍ରା ଅଧିକ ରହିବ। ଫେବ୍ରୁଆରି ୨୦ ପରେ ରାଜସ୍ଥାନ, ପଞ୍ଜାବ, ହରିଆନା, ଉତ୍ତର ପ୍ରଦେଶ, ଆରୁଣାଚଳ ପ୍ରଦେଶ, ଆସାମ, ଦକ୍ଷିଣ ମହାରାଷ୍ଟ୍ର ସମେତ ଅନ୍ୟ କିଛି ଅଞ୍ଚଳ ରାତିର ସ୍ବାଭାବିକ ତାପମାତ୍ରା ବହୁ ପରିମାଣରେ ବଢ଼ିବ।

୨୦୧୯ରେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଲାଗିରହିଥିଲା । ଦେଶର ଅଧିକାଂଶ ସ୍ଥାନରେ ଫେବ୍ରୁଆରି ମାସକୁ ଶେଷ ଥଣ୍ଡା ମାସ ଭାବେ ବିବେଚନା କରାଯାଉଥିବା ବେଳେ ଏଥର ପାଗରେ ଲଗାତାର ଭାବେ ପରିବର୍ତନ ଯୋଗୁଁ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଓଡ଼ିଶାର ମଧ୍ୟ କେତେକ ସ୍ଥାନରେ ଦିନର ତାପମାତ୍ରା ବଢ଼ିଛି । ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବ। ସେହିପରି ୧୭ ତାରିଖ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକା କୁହୁଡ଼ି ଅନୁଭୂତ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.