ତାଇଓ୍ବାନକୁ ନେଇ ବଢ଼ିଲା ତାପମାତ୍ରା: ଡ୍ରାଗନ ପାଖରୁ ରକ୍ଷା କରିବ କହିଲା ଆମେରିକା, ଚୀନ କହିଲା- ଟିକିଏ ସମ୍ଭାଳିକି

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨/୧୦: ତାଇଓ୍ବାନ ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବଡ଼ ବୟାନ ଦେଇଛନ୍ତି । ଚୀନ ତାଇଓ୍ବାନ ଉପରେ ଆକ୍ରମଣ କରିବା ସ୍ଥିତିରେ ଆମେରିକା ତାଇଓ୍ବାନକୁ ସମର୍ଥନ ଜଣାଇବ ବୋଲି ବାଇଡେନ୍‌ କହିଛନ୍ତି । ସିଏନଏନ ଟାଉନ ହଲ୍‌ରେ ଅକ୍ଟୋବର ୨୧ରେ ଆୟୋଜିତ ବୈଠକରେ ସେ ଏହି କଥା କହିଛନ୍ତି ।  ଯଦି ଚୀନ ତାଇଓ୍ବାନ ଉପରେ ଚୀନ ଆକ୍ରମଣ କରେ ତେବେ ଆମେରିକା ତାଇଓ୍ବାନର ରକ୍ଷା କରିବ କି ପ୍ରଶ୍ନରେ ବାଇଡେନ୍‌ କହିଛନ୍ତି, ଆମେ ଏମିତି କରିବାକୁ ପ୍ରତିବଦ୍ଧ ।

ଆମେରିକା ରାଷ୍ଟ୍ରପତିଙ୍କ ପାଖରୁ ଏପରି ମନ୍ତବ୍ୟ ଶୁଣି ତାଇଓ୍ବାନ ଗଦଗଦ୍‌ ହୋଇଥିବା ବେଳେ ଚୀନ୍‌ କିନ୍ତୁ ନାଲିଆଖି ଦେଖାଇଛି । ତାଇଓ୍ବାନ ମାମଲାରେ ସାବଧାନ ରହିବାକୁ ଚୀନ ଆମେରିକାକୁ ତାଗିଦ କରିଛି । ତାଇଓ୍ବାନକୁ ନେଇ ଡ୍ରାଗନ ରାଗରେ ଗରଗର ହେଉଛି। ଏହା ପଛର କାରଣ ହେଉଛି, ତାଇଓ୍ବାନର ବୈଦେଶିକ ମନ୍ତ୍ରୀ ଜୋସେଫ ବୁ କା ଆସନ୍ତା ସପ୍ତାହରେ ୟୁରୋପ ଗସ୍ତ କରିବା ସହ ସ୍ଲୋଭାକିଆ ମଧ୍ୟ ଯିବେ। ଏନେଇ ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଓ୍ବାଙ୍ଗ ବେନାବିନ୍‌ ଅସନ୍ତୋଷ ଜାହିର କରିଛନ୍ତି।

ସେପେଟେ ଅକ୍ଟୋବର ମାସରେ ଏବେ ସୁଦ୍ଧା ପାଖାପାଖି ୨୦୦ ଥର ଚୀନ ଲଢ଼ୁଆ ବିମାନ ତାଇଓ୍ବାନ ବାୟୁସେନା କ୍ଷେତ୍ରରେ ପ୍ରବେଶ କରିସାରିଛି । ଚୀନର ଯୁଦ୍ଧ ବିମାନ ଦ୍ବାରା ତାଇଓ୍ବାନ ସୀମାରେ ୯ ଥର ଅନୁପ୍ରବେଶ ହୋଇଥିବା ଦେଶର ପ୍ରତିରକ୍ଷା ମନ୍ତ୍ରୀ ଚିଉ କୁଉ ଚେଙ୍ଗ କହିଛନ୍ତି । ଏହା ସହ ସେ କହିଛନ୍ତି, ଚୀନ ସହ ତାଇପେର ସୈନ୍ୟ ବିବାଦ ୪୦ ବର୍ଷ ପରେ ଅଧିକ ଖରାପ ସ୍ଥିତିରେ ରହିଛି । ଚୀନ ପାଖରୁ ବିପଦ ବଢ଼ୁଥିବା ବେଳେ ଲଢ଼ୁଆ ବିମାନ ଏଫ-୧୬ ଆଣିବାକୁ ଆମେରିକାକୁ ଗୁହାରି କରିଛି ତାଇଓ୍ବାନ । ୨୦୧୯ରେ ତାଇଓ୍ବାନ ଏନେଇ ଆମେରିକା ସହ ବୁଝାମଣା ମଧ୍ୟ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.