ଆଗକୁ ଅସମ୍ଭାଳ ତାତି, ରାଜ୍ୟରେ ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ

Published By : Prameya-News7 Bureau | March 10, 2024 IST

ଭୁବନେଶ୍ୱର ୧୦।୦୩ : ଏଣିକି ରାଜ୍ୟରେ ଦିନ ତାପମାତ୍ରା ବଢ଼ିବ । ୧୨ ତାରିଖରୁ ତାତି ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାତି ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଖାଲି ଦିନ ନୁହଁ, ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ପୂର୍ବାନୁମାନ ଦିଆଯାଇଛି । 


ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି, ପୁରା ରାଜ୍ୟରେ ଦିନ ତାପମାତ୍ରା ବଢ଼ିବ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏ ବଢ଼ିବ ।  ୧୨ ଓ ୧୩ ତାରିଖରେ କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୨ରୁ ୧୪ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବହୁତ ବଢ଼ିଯିବ । କିଛି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ ।  


ଦକ୍ଷିଣ ପଶ୍ଚିମରୁ ଶୁଷ୍କ ବାୟୁ ପ୍ରବାହିତ ହେବ । ୧୪ ପରଠାରୁ ପୂରା ରାଜ୍ୟରେ ତାପମାତ୍ରା ବଢ଼ିଚାଲିବ । ୧୨ରୁ ୧୪ ତାରିଖ ଭିତରେ ଉପକୂଳରେ ତାପମାତ୍ରା  ୩୫ ବା ୩୬ ଡିଗ୍ରୀ ରହିବ ବୋଲି ସେ ପୂର୍ବାନୁମାନ  କରିଛନ୍ତି । ସେପଟେ୧୪ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର  ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ୧୫ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର  ଓ ଢେଙ୍କାନାଳ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଅଛି । 


ଶନିବାର ମାଲକାନଗିରିରେ  ଦିନ ତାପମାତ୍ରା ସର୍ବାଧିକ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧରେ ୩୭ ଡିଗ୍ରୀ,  ସୋନପୁରରେ ୩୬.୧, ବଲାଙ୍ଗୀରରେ ୩୫.୮, ଟିଟିଲାଗଡ଼ରେ ୩୫.୫, ଭବାନୀପାଟଣାରେ  ୩୫.୨, ପାରଳାଖେମୁଣ୍ଡିରେ ୩୫, ରାୟଗଡ଼ାରେ ୩୪.୮, ସମ୍ବଲପୁରରେ  ୩୪.୬, ଝାରସୁଗୁଡ଼ାରେ ୩୪.୩ ଓ ନୟାଗଡ଼ରେ ୩୪ଡିଗ୍ରୀ ରେକର୍ଡ ହୋଇଛି ।

  • odisha
  • Weather update
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.