ରାଜଧାନୀରେ ପାରଦ ୩୮ ଡିଗ୍ରୀ ଟପିଲା, ୧୧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ

Published By : Prameya-News7 Bureau | February 25, 2021 IST

ଭୁବନେଶ୍ୱର,୨୫/୦୨: ଏବେଠୁ ରାଜଧାନୀରେ ଅସହ୍ୟ ହେଲାଣି ତାତି । ବୁଧବାର ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଦିନସାରା ଟାଣ ଖରା ଅନୁଭୂତ ହୋଇଛି। ସେହିଭଳି ୧୧ ଜିଲ୍ଲାରେ ପାରଦ ୩୫ଡିଗ୍ରୀ ଡେଇଁଛି । ସେପଟେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ଗାଇଡଲାଇନ୍‌ ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳ ଓ ପୌର କର୍ତ୍ତୃପକ୍ଷଙ୍କୁ ଏ ନେଇ ଚିଠି ଲେଖାଯାଇଛି । ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ପାଇଁ ଓସଡ୍‌ମା ପକ୍ଷରୁ ଏସ୍‌ଓପି ପ୍ରସ୍ତୁତ ହୋଇଛି । ଏହି ଏସଓପି ମୁତାବକ ତତ୍କାଳ ପଦକ୍ଷେପ ନେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କଟକରେ ତାପମାତ୍ରା ୩୬.୬ଡିଗ୍ରୀ ଥିବାବେଳେ ଅନୁଗୁଳରେ ୩୫.୭, ବାରିପଦାରେ ୩୬.୮, ଝାରସୁଗୁଡ଼ାରେ ୩୫, ସମ୍ବଲପୁରରେ ୩୫.୩, ତାଳଚେରରେ ୩୫.୫, ଭବାନୀପାଟଣାରେ ୩୫.୫, ବଲାଙ୍ଗୀରରେ ୩୬.୪, ଟିଟିଲାଗଡ଼ରେ ୩୬, ନୟାଗଡ଼ରେ ୩୬.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି ।

ତାତି ବଢୁଥିବାରୁ ଜଳାଭାବ ସମସ୍ୟାକୁ ଦୃଷ୍ଟି ଦେବାକୁ ଏହି ଗାଇଡଲାଇନ୍‌ରେ କୁହାଯାଇଛି । ନଳକୂପ ଓ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥାର ଆଗୁଆ ମରାମତି କରିବାକୁ କୁହାଯାଇଛି । ଜଳଭଣ୍ଡାରରୁ କେନାଲ ଯୋଗେ ପାଣି ଛାଡିବାକୁ ଜଳସମ୍ପଦ ବିଭାଗକୁ କୁହାଯାଇଛି । ସେହିଭଳି ସହର ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ବା ଜଳଛତ୍ର ଖୋଲିବାକୁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ସ୍କୁଲରେ ପିଇବା ପାଣି ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ଓଆରଏସ୍‌ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଶିକ୍ଷାନୁଷ୍ଠାନ ଏବେ ବି ବସ୍‌ ସେବା ଆରମ୍ଭ କରିନାହାନ୍ତି । ଏହି ସବୁ ଶିକ୍ଷାନୁଷ୍ଠାନକୁ ଖରାକୁ ଆଖି ଆଗରେ ରଖି ବସ୍ ‌ଚଲାଇବାକୁ କୁହାଯାଇଛି । ଏହାସହ ସନ୍‌ଷ୍ଟ୍ରୋକ୍‌ ବା ଅଂଶୁଘାତରେ ମୃତ୍ୟୁବରଣ କଲେ ୪୮ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.