କରୋନାର ସଂକ୍ରମଣ ବୃଦ୍ଧିକୁ ନେଇ ତେଲକୋଇ ବଣିକ ସଂଘ ଓ ପ୍ରଶାସନର ଆଲୋଚନା

Published By : Prameya-News7 Bureau | April 28, 2021 IST

ତେଲକୋଇ, ୨୮/୦୪: ବୁଧବାର ତେଲକୋଇ ବ୍ଲକ ବିଡ଼ିଓଙ୍କ ପ୍ରକୋଷ୍ଠରେ ତେଲକୋଇ ବଣିକ ସଂଘ ଓ ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେଲକୋଇ ବ୍ଲକରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ଆସନ୍ତା ଶୁକ୍ରବାରଠାରୁ ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ଏବଂ ତାପରେ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ବଣିକ ସଂଘ ପ୍ରଶାସନକୁ ଜଣାଇଥିଲେ । ଏଥି ପାଇଁ ପ୍ରଶାସନର ସହଯୋଗ ଲୋଡିଥିଲା ତେଲକୋଇ ବଣିକ ସଂଘ ।

ଅପରାହ୍ନ ୨ଟା ପରେ କୌଣସି ବ୍ୟକ୍ତି ଦୋକାନ ଖୋଲିଲେ ସମ୍ପୃକ୍ତ ଦୋକାନକୁ ଆସନ୍ତା ମେ୧୫ ତାରିଖ ପର୍ଯ୍ୟନ୍ତ ସିଲ କରିବା ସହିତ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ପୋଲିସ ବିଭାଗ ପକ୍ଷରୁ ଚେକିଂଙ୍ଗକୁ କଡାକଡି କରାଯିବା ସହ ଅମାନିଆଙ୍କୁ ଦଣ୍ଡ ବିଧାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସପ୍ତାହରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବଜାର ବନ୍ଦ ରହିବା ସମୟରେ କ୍ଷୀର, ମାଛ, ମାଂସ ଓ ପନିପରିବା ଦୋକାନ ଦିନ ୧୦ଟା ପର୍ଯ୍ୟନ୍ତ ଖୋଲାଯିବା ପାଇଁ ଅନୁମତି ଦିଆଯାଇଛି ।

ଏହା ସହିତ ବ୍ଲକର ବିଭିନ୍ନ ଗାଁରେ ଚାଲୁଥିବା ସାପ୍ତାହିକ ହାଟ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଚେକିଂଙ୍ଗ ଓ ଟ୍ରାକିଙ୍ଗକୁ ଅଧିକ ଗୁରୁତ୍ଵ ଦିଆଯିବା ନେଇ ବୈଠକରେ ମୂଖ୍ୟ ପ୍ରସଙ୍ଗ ରହିଥିଲା । ଏହି ବୈଠକରେ ତେଲକୋଇ ବିଡ଼ିଓ ଦିଲ୍ଲୀପ କୁମାର ବାଡ଼ା, ସ୍ଥାନୀୟ ତହସିଲଦାର ଅଶ୍ୱିନୀକୁମାର ନାଏକ, ଥାନା ଅଧିକାରୀ ଅମିତାଭ ଦାସ, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରୀତିଶ ଆଚାର୍ଯ୍ୟ, ମହିଳା ଶିଶୁ ବିକାଶ ଅଧିକାରୀ ସୁପ୍ରଭା ମିଶ୍ର ଓ ବଣିକ ସଂଘର ସଭାପତି ଧନେଶ୍ୱର ବେହେରା, ସମ୍ପାଦକ ପ୍ରଭାତ କୁମାର ସାହୁ, ଅକ୍ଷୟ କୁମାର ପ୍ରଧାନ ସତ୍ୟାନନ୍ଦ ବିଶ୍ୱାଳ, କନୋଜ ବିଶ୍ୱାଳ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.