ନୂଆବର୍ଷ ସ୍ୱାଗତ ଲାଗି ମଦରେ ଭାସିଲା ତେଲେଙ୍ଗାନା, କେବଳ ୪ ଦିନରେ ୭୦୦ କୋଟିର କାରବାର

Published By : Prameya-News7 Bureau | January 02, 2021 IST

ହାଇଦ୍ରାବାଦ ୨।୨: ପୁରାବର୍ଷ ନିରାଶାରେ କଟିଥିଲା। ହେଲେ ପୁରୁଣା ବର୍ଷକୁ ବିଦାୟ ଓ ନବବର୍ଷ ସ୍ୱାଗତ ଲାଗି ତେଲେଙ୍ଗାନା ରାଜ୍ୟବାସୀ ସାମାନ୍ୟ ତ୍ରୁଟି କରିନାହାନ୍ତି। ଧୁମଧାମରେ ୨୦୨୦ ବର୍ଷକୁ ବିଦାୟ ଦେଇଛନ୍ତି। ଏଥିରେ ଲୋକଙ୍କ ଲାଗି ମଧ୍ୟରାତ୍ର ପରେ ମଧ୍ୟ ମଦ ଦୋକାନ ଖୋଲା ରଖିବାକୁ ସରକାରଙ୍କ ନିଷ୍ପତ୍ତି ବେଶ୍‌ କାମରେ ଲାଗିଛି। ଫଳରେ ବର୍ଷର ଶେଷ ୪ ଦିନରେ ରାଜ୍ୟର ଲୋକେ ମୋଟ ୭୫୯.୫୩ କୋଟି ଟଙ୍କାର ମଦ କିଣିଥିବା ଏକ ରିପୋର୍ଟରୁ ଜଣାପଡିଛି।

ଏହି ସମୟରେ ୮.୬୧କୋଟି ଲିକର କେସ୍‌ ଓ ୬.୬୨କୋଟି ବିୟର କେସ୍‌ ଲୋକେ କିଣିନେଇଛନ୍ତି। ତେଲେଙ୍ଗାନାରେ ମଦର ଏପରି ବିକ୍ରି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଛି। କୋଭିଡ-୧୯ ଲାଗି ପୋଲିସ ନୂଆବର୍ଷ କାର୍ଯ୍ୟକ୍ରମ ପାଳନ ନେଇ ନାନା କଟକଣା ଜାରି କରିଥିଲା। ହେଲେବି  ଲୋକେ ପୁରୁଣା ବର୍ଷର ବିଦାୟ ଓ ନୂଆ ବର୍ଷ ସ୍ୱାଗତ ଲାଗି ସାମାନ୍ୟତମ କାର୍ପଣ୍ୟ କରିନଥିବା ରିପୋର୍ଟରୁ ଜଣାପଡିଛି।

ଲୋକେ ଘରେ, ଫାର୍ମ ହାଉସରେ ବର୍ଷର ଶେଷ ଉତ୍ସବ ଆୟୋଜନ କରିଥିଲେ। ଏଥିଲାଗି ଡିସେମ୍ବର ୨୮ ତାରିଖ ଦିନ ୨୦୫.୧୮ କୋଟି ଟଙ୍କାର ଲିକର କ୍ରୟ କରିଥିବା ବେଳେ ୨୯ ଡିସେମ୍ବରରେ ୧୫୦କୋଟି , ୩୦ ଡିସେମ୍ବରରେ ୨୧୧.୩୫କୋଟି ଓ ୩୧ ଡିସେମ୍ବର ରାତି ସୁଧା ୧୯୩ କୋଟି ଟଙ୍କାର ମଦ କିଣିଛନ୍ତି। ଯାହା ଗତବର୍ଷ ଏହି ସମୟ ତୁଳନାରେ ୨୦୦ କୋଟିରୁ ଅଧିକ ଟଙ୍କାର କାରବାର ବୋଲି ଆକଳନ କରାଯାଇଥିବା ବେଳେ ଏଥିରୁ ସରକାର ମଧ୍ୟ ବର୍ଷ ଶେଷରେ ବିପୁଳ ରାଜସ୍ୱ ଆୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.