ତେଲେଙ୍ଗାନା ଗୃହମନ୍ତ୍ରୀ କରୋନା ପଜେଟିଭ, ଯାଞ୍ଚ ପାଇଁ ହାଇଦ୍ରାବାଦ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍
29/06/2020 at 1:48 PM

ହାଇଦ୍ରାବାଦ ୨୯।୬: ତେଲେଙ୍ଗାନାରେ ବଢୁଥିବା କରୋନା ସଂକ୍ରମଣ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଲବ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଟିମ୍ ସୋମବାର ହାଇଦ୍ରାବାଦ ପହଞ୍ଚିଛି। ତେବେ କେନ୍ଦ୍ରୀୟ ଟିମ୍ ରାଜ୍ୟରେ ପହଞ୍ଚିବା ପୂର୍ବରୁ ରାଜ୍ୟ ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଏବେ ଆପଲୋ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ରୀୟ ଟିମ୍ ରାଜ୍ୟରେ ସଂକ୍ରମଣ ସଞ୍ଚାଳ ନିରୀକ୍ଷଣ ସମେତ ହସ୍ପିଟାଲମାନଙ୍କର ଲବରେଟରୀ ମଧ୍ୟ ପରିଦର୍ଶନ କରିବେ। ଏହି ଗସ୍ତକାଳରେ କେନ୍ଦ୍ରୀୟ ଟିମ୍ କଣ୍ଟେନମେଣ୍ଟ କ୍ଲଷ୍ଟର ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିବେ ବୋଲି ଜନୈକ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି। ସେପଟେ ଆପଲୋ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୃହମନ୍ତ୍ରୀ ଏବେ ଚିକିତ୍ସାଧୀନ ଅଛନ୍ତି। ଗୃହମନ୍ତ୍ରୀଙ୍କ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ହୋଇଥିବାର ୨ ଦିନ ପୂର୍ବରୁ ଜଣାପଡିଥିଲା। ତେବେ ଗୃହମନ୍ତ୍ରୀ ସେମାନଙ୍କ ଗହଣରେ ଯିବା ଆସିବା କରୁଥିଲେ।

ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୃହମନ୍ତ୍ରୀ ମହମୁଦଙ୍କ ଆଜମା ସମସ୍ୟା ରହିଛି। ଏଣୁ କରୋନା ପଜେଟିଭ ଚିହ୍ନଟ ହେବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଧିକ ସତର୍କତା ଅବଲମ୍ବନ କରାଯାଉଛି। ଗୃହମନ୍ତ୍ରୀଙ୍କ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୫ ଜଣ ପ୍ରଥମେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଏହା ସତ୍ତ୍ୱେ ସେମାନେ ଗୃହମନ୍ତ୍ରୀଙ୍କ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବା ଏବେ ସମସ୍ୟା ସୃଷ୍ଟି କରିଛି।