ନୂଆଦିଲ୍ଲୀ୨୮/୨: ଶେଷ ହୋଇଯିବ ଶସ୍ତା ଡାଟା ଏବଂ ମାଗଣା କଲିଂ ଯୁଗ । ପୁଣି ପୂର୍ବ ପରି ଉଭୟ ଇଂଟରନେଟ୍ ଏବଂ କଥାବାର୍ତ୍ତା ହେବା ପାଇଁ ଗ୍ରାହକଙ୍କୁ ଦେବାକୁ ପଡିବ ଅଲଗା ଅଲଗା ଟଙ୍କା । ଏନେଇ ଦୂର ସଂଚାର ମନ୍ତ୍ରାଳୟ ନିକଟକୁ ଚିଠି ଲେଖି ଟେଲିକମ କଂପାନୀମାନେ ସୁପାରିଶ କରିଛନ୍ତି ।
ତେବେ ମୋବାଇଲ ଡାଟା ପାଇଁ ସର୍ବନିମ୍ନ ଟାରିଫ ପ୍ନାନକୁ ୩୫ ଟଙ୍କା ପ୍ରତି ଜିବି କରିବାକୁ ଦାବି କରିଛି ଭୋଡାଫୋନ-ଆଇଡିଆ । ଯାହାକି ପ୍ରଚଳିତ ଦରଦାମ ତୁଳନାରୁ ପ୍ରାୟ ସାତ-୮ ଗୁଣା ଅଧିକ । ଡିପାର୍ଟମେଂଟ ଅଫ ଟେଲିକମକୁ କଂପାନୀ ପକ୍ଷରୁ ଦିଆଯାଇଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି କି, କଂପାନୀ ଚାହୁଁଛି କି ୩୫ ଟଙ୍କା ପ୍ରତି ଜିବି ଡାଟା ଦର ସ୍ଥିର କରାଯାଉ । ଖାଲି ଏତିକି ନୁହେଁ ମାସିକ କନେକ୍ସନ ପାଇଁ ସର୍ବନିମ୍ନ ଚାର୍ଜକୁ ୫୦ ଟଙ୍କା ସ୍ଥିର କରାଯାଉ ବୋଲି । ଆଉ ଏହି ନୂଆ ପ୍ଲାନକୁ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁ କରିବାକୁ ଟେଲିକମ କଂପାନୀ ପକ୍ଷରୁ ସୁପାରିଶ ହୋଇଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏଜିଆର କାରଣରୁ ଟେଲିକମ କଂପାନୀଙ୍କୁ ଏବେ ଅନେକ କ୍ଷତି ସହିବାକୁ ପଡୁଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ଏହି କଂପାନୀଙ୍କୁ ୫୩ ହଜାର କୋଟି ଟଙ୍କା ଏଜିଆର ବାବଦକୁ ପରିଶୋଧ କରିବାକୁ ପଡିବ । ତେଣୁ ଭୋଡାଫୋନ-ଆଇଡିଆ ଏଜିଆର ପୂରା ରକମ ପରିଶୋଧ କରିବା ପାଇଁ ୧୮ ବର୍ଷ ସମୟ ମାଗିବା ସହ ଆଉଟଗୋଇଙ୍ଗ କଲ୍ ପାଇଁ ସର୍ବନିମ୍ନ ମୂଲ୍ୟ ମିନିଟ୍ ପିଛା ୬ ପଇସା ସ୍ଥିର କରିବାକୁ ଦାବି କରିଛନ୍ତି ।