ଚନ୍ଦ୍ରମୁଖୀ ନିଖୋଜ ; ହାଇଦ୍ରାବାଦରେ ହଇଚଇ

Published By : Prameya-News7 Bureau | November 28, 2018 IST

ହାଇଦ୍ରାବାଦ ୨୮|୧୧:   କୁଆଡେ ଗଲେ ଚନ୍ଦ୍ରମୁଖୀ ? କେଉଁଠି ସେ ?  ତାଙ୍କୁ କେହି ଅପହରଣ କରିନେଇନି ତ ?  ତାଙ୍କ ନିଖୋଜ ପଛରେ କିଏ ?  ହାଇଦ୍ରାବାଦରେ ଏହି ଚନ୍ଦ୍ରମୁଖୀଙ୍କ ପାଇଁ ହଇଚଇ । କେବଳ ହାଇଦ୍ରାବାଦ ନୁହେଁ ସାରା ତେଲେଙ୍ଗାନାରେ ଏବେ ଚନ୍ଦ୍ରମୁଖୀଙ୍କ ଚର୍ଚ୍ଚା । କିଏ ଏହି ଚନ୍ଦ୍ରମୁଖୀ ? କାହିଁକି ତାଙ୍କ ପାଇଁ ଏତେ ଆଲୋଚନା ? ତେବେ ଏ ଚନ୍ଦ୍ରମୁଖୀ ଜଣେ ମହିଳା ନୁହନ୍ତି, ସେ ଜଣେ କିନ୍ନର ।  ତାଙ୍କର ପୁରା ନାମ ଚନ୍ଦ୍ରମୁଖୀ ମୁବ୍ବାଲା ଓ କିନ୍ନରଙ୍କ ଅଧିକାର ପାଇଁ ଲଢୁଥିବା ଜଣେ ଆଗଧାଡିର କର୍ମୀ । ତାଙ୍କୁ ନେଇ ଚର୍ଚ୍ଚାର କାରଣଟି ହେଲା ଚନ୍ଦ୍ରମୁଖୀ ଜଣେ ବିଧାୟକ ପ୍ରାର୍ଥୀ ।  ୭ ଡିସେମ୍ବରରେ ହେବାକୁ ଯାଉଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଚନ୍ଦ୍ରମୁଖୀ  ଗୋଶାମାହାଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେ ବହୁଜନ ବାମ ସାମୁଖ୍ୟ (ବିଏଲ୍‌ଏଫ୍‌) ଟିକଟରେ ଲଢୁଛନ୍ତି । କିନ୍ତୁ ୨୭ ତାରିଖ ସକାଳୁ ତାଙ୍କ ପତ୍ତା ମିଳୁନି । ତାଙ୍କ ନିଖୋଜ ନେଇ ବଞ୍ଜାରାହିଲ୍ସ ଥାନାରେ ଅଭିଯୋଗ ହୋଇଛି । କାରଣ ସେ ସେହି ଥାନା ଅଞ୍ଚଳରେ ରହୁଥିଲେ । ଏବେ ତାଙ୍କୁ ଠାବ କରିବାଲାଗି ସିସିଟିଭି ଆଧାରରେ ଯାଞ୍ଚ କରୁଛି ପୋଲିସ । ତେଲେଙ୍ଗାନା ହିଜରା ସମିତି ଅଭିଯୋଗ ଅନୁଯାୟୀ, ଚନ୍ଦ୍ରମୂଖୀ ତାଙ୍କ ଅପହରଣ ନେଇ ଆଶଙ୍କା କରୁଥିଲେ ଓ ଭୟଭୀତ ବି ଥିଲେ । ତେଲେଙ୍ଗାନା ବିଧାନସଭା ପାଇଁ ହେବାକୁ ଯାଉଥିବା ଚଳିତ ନିର୍ବାଚନରେ ଚନ୍ଦ୍ରମୁଖୀ ପ୍ରଥମ ଏକ ମାତ୍ର କିନ୍ନର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । କିନ୍ନର ମାନଙ୍କ ଅଧିକାର ଓ ସ୍ବାର୍ଥ ଲାଗି ସ୍ବର ଉତ୍ତୋଳନ କରୁଥିବା ଚନ୍ଦ୍ରମୁଖୀଙ୍କ ଲାଗି ରାଜ୍ୟର କିନ୍ନର ମାନେ ପ୍ରଚାର ପାଇଁ ଗୋଶାମାହାଲରେ ଭିଡ ଲଗାଇସାରିଲେଣି । ଏହି ସ୍ଥିତିରେ ଚନ୍ଦ୍ରମୁଖୀଙ୍କ ନିଖୋଜ ଚର୍ଚ୍ଚା ବଢାଇଛି । ଗୋଶାମାହାଲ ଆସନଟି ବିଜେପି ଦଖଲରେ ରହିଛି । ଏଠାରୁ ବର୍ତ୍ତମାନର ବିଧାୟକ ଟି.ରାଜା ସିଂହଙ୍କୁ ବିଜେପି ପୁଣି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ମୁକେଶ ଗୌଡ ଏବଂ ଟିଆରଏସ୍‌ରୁ ପ୍ରେମ ସିଂ ରାଠୋର ପ୍ରାର୍ଥୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.