ଚୋରି ଜିନିଷ ସର୍ଚ୍ଚ କରିବାକୁ ଯାଇ ହଟହଟା ତେଲେଙ୍ଗାନା ପୋଲିସ, ଗାଡି ଭଙ୍ଗାରୁଜା ସହ ଦୁଇ ପୋଲିସ ଅଧିକାରୀଙ୍କୁ ରକ୍ତାକ୍ତ କଲେ ଗ୍ରାମବାସୀ

Published By : Prameya-News7 Bureau | May 10, 2019 IST

ଗଞ୍ଜାମ ୧୦|୫: ଚୋରି ଜିନିଷ ସର୍ଚ୍ଚ କରିବାକୁ ଯାଇ ରକ୍ତାକ୍ତ ହେଲା ତେଲେଙ୍ଗାନା ପୋଲିସ । ପୋଲିସ ଗାଁରେ ପହଞ୍ଚିବା ମାତ୍ରେ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଦୁଇ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଧୁମ ମାଡ଼ ମାରି ରକ୍ତାକ୍ତ କରିଛନ୍ତି ଗାଁ ଲୋକେ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଡି ଗାଆଁରେ ଘଟିଛି ଏହି ଅମାନବୀୟ କାଣ୍ଡ।ପରେ ପାଟପୁର ପୋଲିସ ଆହତ ତେଲେଙ୍ଗାନା ପୋଲିସଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତର ଘରୁ ଦୁଇ କିଲୋ ସୁନା ଅଳଙ୍କାର ଜବତ କରିଛି ।   

ତେଲେଙ୍ଗାନା ପୋଲିସକୁ ମାଡ଼ । ଅତି ନିର୍ଦ୍ଦୟ ଭାବେ ଶତାଧିକ ଲୋକ ନିର୍ଦ୍ଧୁମ ଛେଚୁଛନ୍ତି, ଯିଏ ଯେମିତି ପାରିଲା ପିଟିଲା । କିଏ ଠେଙ୍ଗାରେ ବାଡାଉଛି ତ ଆଉ କିଏ ବିଧା ଗୋଇଠା ମାରି ରକ୍ତାକ୍ତ କରୁଛି । ଏପଟେ ଗାଡ଼ି ଭିତରେ କାଚ ବନ୍ଦ କରିରହିଥିବା କିଛି ମହିଳା ଓ ପୁରୁଷ ମଧ୍ୟ ଲୋକଙ୍କ ଆକ୍ରମଣରୁ ବର୍ତ୍ତିପାରିନଥିଲେ । କିଛି ଲୋକ ପଥରରେ ଛେଚି ଗାଡ଼ିର କାଚ ଭାଙ୍ଗିଛନ୍ତି । କାଚ ଭାଙ୍ଗିଯିବା ପରେ ଭିତରେ ଥିବା ଜଣେ ବ୍ୟକ୍ତି ନେହୁରା ହେଉଥିଲେ ମଧ୍ୟ ତାଙ୍କୁ ଘୋଷାଡ଼ିଆଣି ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଗାଡ଼ି ଭିତରେ ରହିଥିଲେ ଜଣେ ଯୁବତୀ ଆଉ ଜଣେ ମହିଳା ମଧ୍ୟ ଲୋକଙ୍କ ଆକ୍ରମଣରୁ ବର୍ତ୍ତପାରିନଥିଲେ । ଗାଳିଗୁଲଜ କରି କିଛି ଲୋକ ଏମାନଙ୍କୁ ମଧ୍ୟ ଗାଡ଼ିରୁ ଟାଣି ଆଣିଥିଲେ । ଗାଳିଗୁଲଜ କରି ସେମାନଙ୍କୁ ମଧ୍ୟ ଲୋକେ ହଟହଟା କରୁଛନ୍ତି।

ଚୋରି ଜିନିଷ ଧରିବାକୁ ଯାଇ ତେଲେଙ୍ଗାନା ପୋଲିସକୁ ଏଭଳି ଆକ୍ରମଣର ଶିକାର ହେବାକୁ ପଡ଼ିଛି । ଗଞ୍ଜାମ ଜିଲ୍ଲା ଡେଙ୍ଗାଡି ଗାଁର ମନୋଜ ସ୍ବାଇଁଙ୍କ ଘରକୁ ରେଡ୍ କରିବା ପାଇଁ ତେଲେଙ୍ଗାନା ପୋଲିସ ଆସିଥିଲା । ମନୋଜ ଏବଂ ଅନ୍ୟ ଜଣେ ଯୁବତୀଙ୍କୁ ସାଙ୍ଗରେ ବି ଆଣିଥିଲା। ତେବେ ପୋଲିସ ସର୍ଚ୍ଚ କରିବା ପୂର୍ବରୁ ଏଭଳି ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲା । ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଆହତ ତେଲେଙ୍ଗାନା ପୋଲିସଙ୍କୁ ଉଦ୍ଧାର କରିଥିଲା। ପରେ ମନୋଜଙ୍କ ଘର ସର୍ଚ୍ଚ କରିଥିଲା ପୋଲିସ । ଦୁଇ କିଲୋ ସୁନା ଅଳଙ୍କାର ସହ ଟଙ୍କା ଜବତ ହୋଇଥିବା କୁହାଯାଉଛି । କିନ୍ତୁ ଏ ସଂପର୍କରେ ପୋଲିସ କୌଣସି ସୂଚନା ଦେଉନି।

ସୂଚନା ଅନୁସାରେ ଗତ କିଛି ବର୍ଷ ହେଲା ମନୋଜ ତେଲେଙ୍ଗାନାରେ ଲୁଟ୍ ତରାଜ କରୁଥିଲା। ପାଟପୁର ଥାନାରେ ମନୋଜ ତାଙ୍କ ବାପା ଏବଂ ବାଲେଶ୍ବର ଜିଲ୍ଲା ବାଲିଆପାଳ ଅଞ୍ଚଳର ଯୁବତୀଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.