ହତ୍ୟା ଲୁଚାଇବାକୁ ହତ୍ୟା କରିଥିଲା ଯୁବକ, ୯ ଜଣଙ୍କୁ ମାରିବା ପୂର୍ବରୁ ‘ନିଦ ବଟିକା’ ସମ୍ପର୍କରେ ଗୁଗ୍‌ଲରେ କରିଥିଲା ସର୍ଚ୍ଚ

Published By : Prameya-News7 Bureau | November 10, 2020 IST

ହାଇଦ୍ରାବାଦ ୧୦/୧୧: ହତ୍ୟା ଲୁଚାଇବା ପାଇଁ ହତ୍ୟା। ନିଜର ପ୍ରେମିକାକୁ ହତ୍ୟା କରିବା ପରେ ଯୁବକ ଜଣକ ୯ ଜଣଙ୍କୁ ହତ୍ୟା କରିଥିଲା। ପୂର୍ବରୁ କରିଥିବା ହତ୍ୟା ସମ୍ପର୍କରେ ପୋଲିସ୍‌ ନଜାଣିବା ପାଇଁ ଏହି  ହତ୍ୟା କରିଥିଲା ଯୁବକ। ଏଭଳି  ଏକ ଘଟଣା ଘଟିଥିଲା ତେଲେଙ୍ଗାନାର ଓ୍ବାରଙ୍ଗଲରେ। ତେବେ ଏହି ମାମଲା​‌ରେ କୋର୍ଟ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।

ଅଭିଯୁକ୍ତ ୨୪ ବର୍ଷୀୟ ସଞ୍ଜୟ କୁମାର ଯାଦବ ୯ ଜଣଙ୍କୁ ନିଶା ଟ୍ୟାବଲେଟ ଦେଇ ହତ୍ୟା କରିଥିଲା ବୋଲି ଜଣାପଡ଼ିଥିଲା। କିନ୍ତୁ ସଞ୍ଜୟ ହତ୍ୟା କରିବା ପୂର୍ବରୁ ଗୁଗଲ୍‌​‌ରେ ‘ସ୍ଲିପିଂ ପିଲ୍ସ’ ସର୍ଚ୍ଚ କରି ଦେଖିଥିଲା ବୋଲି ଜଣାପଡ଼ିଛି। ତେବେ ଯାଦବର ଫୋନ୍‌ ବ୍ରାଉଜର ହିଷ୍ଟ୍ରି ସର୍ଚ୍ଚ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଆଧାରରେ ଦୋଷୀକୁ ଦଣ୍ଡ ମିଳିଛି। ମିଳିଥିବା ସୂଚନା ଅନୁସାରେ ଫରେନ୍ସିକ୍ ବିଶେଷଜ୍ଞ ଚାଲାକ କରି ଯାଦବ ଫୋନ୍‌ରୁ ନିଦ ବଟିକା ସର୍ଚ୍ଚ କରିଥିବା ନେଇ ପେଜ୍‌ର ସ୍କ୍ରିନ୍‌ ସଟ୍‌ ରଖିଥିଲେ।

ଘଟଣା ଥିଲା ଏମିତି
ସଞ୍ଜୟ କୁମାର ଯାଦବ ତାମିଲନାଡ଼ୁରେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା। ସେ ହତ୍ୟା କରିଥିବା ଅନ୍ୟ ୯ ଜଣ ମଧ୍ୟ ଓ୍ବାରଙ୍ଗଲର ଏକ ବ୍ୟାଗ୍ ତିଆରି କମ୍ପାନୀରେ କାର୍ଯ୍ୟ କରୁଥିଲେ। ସଞ୍ଜୟ କୁମାର ହତ୍ୟା କରିଥିବା ୯ ଜଣ ଶ୍ରମିକ ହେଉଛନ୍ତି, ଏମଡି ମକସୁଦ୍‌(୫୫), ତାଙ୍କ ପତ୍ନୀ ନିଶା (୪୮), ତାଙ୍କ ପୁଅ ଶାହାବାଦ ଆଲମ(୨୧) ଓ ଶୋଏଲ ଆଲମ (୧୮), ଝିଅ ବୁଶରା(୨୦) ଓ ତାଙ୍କର ତିନି ବର୍ଷର ଝିଅ ଶୋଏବ, ବିହାରର ଶ୍ରୀରାମ (୨୧) ଓ ଶ୍ୟାମ୍‌(୨୨),  ତ୍ରିପୁରାର ଶକିଲ(୩୦)। ମକସୁଦଙ୍କ ଭଉଣୀ ରାଫିକାଙ୍କ ସହ ସଞ୍ଜୟର ଅବୈଧ ସମ୍ପର୍କ ଥିଲା। ରାଫିକା ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବା ବେଳେ ତାମିଲନାଡ଼ୁରେ ରହି କାର୍ଯ୍ୟ କରୁଥିଲେ। କିନ୍ତୁ ମାର୍ଚ୍ଚ ୬ ତାରିଖରେ ରଫିକାଙ୍କ ସହ ପଶ୍ଚିମବଙ୍ଗ ଯିବାକୁ ସଞ୍ଜୟ ବାହାରିଥିଲା । ଯିବା ରାସ୍ତାରେ ଆନ୍ଧ୍ରପ୍ରଦେଶର ନିଦୁବରୋଲରେ ରାଫିକାଙ୍କୁ ହତ୍ୟା କରିବା ପରେ ପୁଣି ଓ୍ବାରଙ୍ଗଲ ଫେରିଆସିଥିଲା ସଞ୍ଜୟ।

ତେବେ ରାଫିକାଙ୍କ ମୃତ୍ୟୁ ମାମଲାକୁ ଲୁଚାଇବାକୁ ଯାଇ ସଞ୍ଜୟ ୯ ଜଣଙ୍କୁ ହତ୍ୟା କରିଥିଲା। ମୋଟ ୧୦ ଜଣଙ୍କୁ ହତ୍ୟା କରିବା ମାମଲା ସମେତ ଦୁଷ୍କର୍ମ ମାମଲା ମଧ୍ୟ ସଞ୍ଜୟ ନାଁରେ ରହିଛି।

ଏଭଳି ଏକ ଅପରାଧୀର ମାମଲାକୁ ବିରଳ ମାମଲା ଭାବେ ବିବେଚନା କରିବା ସହ ତାକୁ ମୃତ୍ୟ ଦଣ୍ଡାଦେଶ ଦେବାକୁ କୋର୍ଟରେ ସରକାରୀ ଓକିଲ ଦାବି କରିଥିଲେ। ତେବେ ବିଚାର କରି କୋର୍ଟ ସଞ୍ଜୟକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ।

କିନ୍ତୁ ଏହି ମାମଲାରେ ଗୁଗଲ୍‌ରେ ସର୍ଚ୍ଚ ହୋଇଥିବା ନିଦ ବଟିକା ଏଟିଭାନ୍‌ ହିଁ ମୁଖ୍ୟ ଭୂମିକା ନେଇଥିଲା। ଏହାସହ ଓ୍ବାରଙ୍ଗଲ ଏକ ମେଡିସନ୍‌ ଷ୍ଟୋର ମଧ୍ୟ ସ୍ବୀକାର କରିଛି ଯେ ମେ ୧୪-୧୬ ମଧ୍ୟରେ ୪ ଷ୍ଟ୍ରିପ୍‌ ଏଟିଭାନ୍‌ କିଣାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.