ନିର୍ବାଚନ ଆୟୋଗଙ୍କୁ ହାଇକୋର୍ଟରୁ ଲାଗିଲା ବଡ ଝଟକା, ବିନା ମୋହର ଥିବା ବାଲାଟ୍ ପେପରର ଗଣତି ରୋକିବାକୁ ଦେଲେ ଆଦେଶ

Published By : Prameya-News7 Bureau | December 04, 2020 IST

ହାଇଦ୍ରାବାଦ ୦୪।୧୨: ହାଇଦ୍ରାବାଦ ନଗର ନିଗମ ନିର୍ବାଚନର ଜାରି ମତଗଣନା ମଧ୍ୟରେ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ବଡ ଝଟକା ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗଙ୍କ ସେହି ସର୍କୁଲାରକୁ ନିଲମ୍ବିତ କରିଛନ୍ତି, ଯେଉଁଥିରେ ନଗର ନିଗମ ନିର୍ବାଚନରେ ମୋହର ଥିବା ବାଲାଟ୍ ବ୍ୟତୀତ ପେନ ମାର୍କ ଚିହ୍ନ ଥିବା ବାଲାଟ୍‌ ପେପରର ଗଣନାକୁ ମାନ୍ୟତା ଦିଆଯାଇଥିଲା।

ହାଉସ୍ ମୋସନର ଶୁଣାଣି ସମୟରେ ବିଚାରପତି ଅଭିଷେକ ରେଡ୍ଡୀ ନିର୍ବାଚନ ଆୟୋଗଙ୍କ ସର୍କୁଲାରକୁ ନିଲମ୍ବିତ କରି କହିଛନ୍ତି, ପେନର ଚିହ୍ନ ରହିଥିବା  ବାଲାଟ୍ ପେପରକୁ ଅଲଗା ରଖାଯିବା ଓ ଯଦି ଏହି କାରଣରୁ ନିର୍ବାଚନ ପରିମାଣରେ କ୍ଷତି ହେଉଥିବା ଦେଖିବାକୁ ମିଳେ ତେବେ ପରିଣାମ ଘୋଷଣା କରାନଯାଉ। କୋର୍ଟ ନିଜର ଆଦେଶରେ କହିଛନ୍ତି, ଯଦି ବିଜୟ ଘୋଷଣା ପାଇଁ ଜରୁରୀ ଭୋଟ୍‌ର ବ୍ୟବଧାନ ବିବାଦୀୟ ବାଲାଟ୍ ପେପରରୁ କମ ଥାଏ ତେବେ ସେହି ଓ୍ଵାର୍ଡର ପରିଣାମ ଘୋଷଣା କରାଯିବ ନାହିଁ।

ଏହା ପୂର୍ବରୁ କିଛି ପୋଲିଂ  ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ସୂଚିତ କରିଥିଲେ ଯେ, ଭୁଲବଶତଃ ମୋହର ଥିବା ବାଲାଟ୍ ପେପର ଜାଗାରେ ଅନ୍ୟ ଚିହ୍ନ ଥିବା ବାଲାଟ୍ ପେପର ମତଦାତାଙ୍କୁ ଦେଇଥିଲୁ। ଏହା ପରେ ନିର୍ବାଚନ ଆୟୋଗ ଗୁରୁବାର ରାତିରେ ସର୍କୁଲାର ଜାରି କରି କହିଥିଲେ, ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ସମୟରେ ମତଦାତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଜଣା ପଡୁଛି ତେବେ ତାଙ୍କ ଭୋଟ୍ ବୈଧ୍ୟ ଧରାଯାଉ କାରଣ ଏହା ପୁଲିଂ ଅଧିକାରୀଙ୍କ ଭୁଲ୍‌ କାରଣରୁ ହୋଇଛି।

ଏହା ପରେ  ପ୍ରାର୍ଥୀ ଆଣ୍ଟନି ରେଡ୍ଡୀ ଓ କେ ସୁନ୍ଦର ହାଇକୋର୍ଟରେ ଆବେଦନ ଦାଖଲ କରି ନିର୍ବାଚନ ଆୟୋଗଙ୍କ ସର୍କୁଲାରକୁ ଅବୈଧ, ମନମୁଖୀ ଓ ନିର୍ବାଚନ ଆଇନ ବିରୋଧୀ ହୋଇଥିବା ଘୋଷଣା କରିବାକୁ ଦାବି କରିଥିଲେ। ସୂତ୍ର ଅନୁଯାୟୀ ସମସ୍ତ ରିଟର୍ଣ୍ଣିଂ  ଅଫିସରଙ୍କୁ ହାଇକୋର୍ଟଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି। କୋର୍ଟଙ୍କ ଆଦେଶ ଅନୁରୂପ କାମ କରିବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.