ହାଇଦ୍ରାବାଦ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା : ୪ଅଭିଯୁକ୍ତଙ୍କ ମୃତଦେହ ୯ତାରିଖ ଯାଏଁ ସଂରକ୍ଷିତ ରଖିବାକୁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶ
7/12/2019 at 9:47 AM

ହାଇଦ୍ରାବାଦ ୭।୧୨: ତେଲେଙ୍ଗାନା ହାଇଦ୍ରାବାଦରେ ଭେଟେରିନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କ ମୃତଦେହକୁ ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଆସନ୍ତା ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ କହିଛନ୍ତି ହାଇକୋର୍ଟ । ଏଥିସହ ପୋଷ୍ଟମର୍ଟମର ଭିଡିଓକୁ ସିଡି କିମ୍ବା ପେନ୍ ଡ୍ରାଇଭରେ ମେହବୁବନଗରର ପ୍ରିନିସପାଲ ଡିଷ୍ଟ୍ରିକ୍ଟ ଜଜଙ୍କୁ ଦେବା ପାଇଁ କହିଛନ୍ତି ।

କିଛି ମାନବାଧିକାର କର୍ମୀ ଏବଂ ମହିଳା ସଂଗଠନ କରିଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେପଟେ, ସାରା ଦେଶରେ ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଷ୍କର୍ମ ନେଇ ବଡ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ନାବାଳିକା ଦୁଷ୍କର୍ମକାରୀଙ୍କୁ କ୍ଷମା ନାହିଁ । ପ୍ରଚଳିତ କ୍ଷମା ପ୍ରାର୍ଥନା ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆବଶ୍ୟକ । ରାଷ୍ଟ୍ରପତି କହିଛନ୍ତି, ଦୁଷ୍କର୍ମ ଭଳି ଘଟଣା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଉଛି । କିଭଳି ଏହାକୁ ରୋକି ହେବ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଦୁଷ୍କର୍ମ ନିରୋଧୀ ଆଇନରେ ଆହୁରି ସଂସ୍କାର ଆସିବା ଆବଶ୍ୟକ ବୋଲି ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ।