ହାଇଦ୍ରାବାଦର ଗାଚିଓ୍ବଲି ସ୍ପୋର୍ଟସ କମ୍ପ୍ଲେକ୍ସରେ ୧୫,୦୦୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରୁଛନ୍ତି ତେଲେଙ୍ଗାନା ସରକାର

Published By : Prameya-News7 Bureau | March 29, 2020 IST

ହାଇଦ୍ରାବାଦ ୨୯।୩: କୋରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ତେଲେଙ୍ଗାନାରେ ଚିକିତ୍ସା ସୁବିଧା ବୃଦ୍ଧି କରିବା ପାଇଁ ହାଇଦ୍ରାବାଦର ଗାଚିଓ୍ବଲି ସ୍ପୋର୍ଟସ କମ୍ପ୍ଲେକ୍ସରେ ୧୫,୦୦୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡ କରାଯିବା ନେଇ ଯୋଜନା ଚାଲିଛି । ଏହା ଉପରେ ରାଜ୍ୟ ସରକାର ବିଚାର ବିମର୍ଷ ଜାରି ରଖିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେଣ୍ଡର ଶନିବାର ଦିନ କହିଛନ୍ତି ।

ସେ କହିଛନ୍ତି, “ତିନି ମହଲା ପ୍ରସ୍ତୁତ ଏବଂ ଆସନ୍ତା ଛଅ ଦିନ ମଧ୍ୟରେ ଆଉ ୬ଟି ମହଲା ପ୍ରସ୍ତୁତ ହେବ । ସମ୍ପୂର୍ଣ୍ଣ କମ୍ପ୍ଲେକ୍ସଟି ଆଉ ୨୦ ଦିନ ମଧ୍ୟରେ ରୋଗୀ ରହିବା ପାଇଁ ପ୍ରସ୍ତୁତ ହୋଇଯିବ ।” ମାର୍ଚ୍ଚ ୨୭ ସୁଦ୍ଧା ମୋଟ୍ କୋଭିଡ-୧୯ ପଜିଟିଭ ମାମଲା ୫୯ରେ ରହିଥିଲା । ଆବଶ୍ୟକତା ଅନୁଯାୟୀ ସତର୍କତାମୂଳକ ପଦକ୍ଷେପ ଭାବେ ଅତିରିକ୍ତ ଚିକିତ୍ସା ଭିତ୍ତିଭୂମି ସୃଷ୍ଟି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ଗାନ୍ଧୀ ହସ୍ପିଟାଲକୁ ପୂର୍ଣ୍ଣକାଳୀନ ଡାକ୍ତରଖାନା ଏବଂ କରୋନା ଭାଇରସ୍ ଚିକିତ୍ସା ପାଇଁ ଆଂଶିକ ଦୁଇଟି ଚିକିତ୍ସା ସୁବିଧା ଯୋଗାଯିବ ବୋଲି ଘୋଷଣା କରିସାରିଛନ୍ତି । ରାଜେନ୍ଦର ଏହା ପୂର୍ବରୁ କହିଥିଲେ ଯେ, କରୋନା ଭାଇରସ୍ ରୋଗର ଚିକିତ୍ସା ପାଇଁ ୭୦୦ ଇନଟେନସିଭ କେୟାର ୟୁନିଟ୍ (ଆଇସିୟୁ) ଏବଂ ୧୯୦ଟି ଭେଣ୍ଟିଲେଟର ବେଡ୍ ବ୍ୟତୀତ ୧୦,୦୦୦ ବେଡ୍ ସହିତ ରାଜ୍ୟ ପ୍ରସ୍ତୁତ ଅଛି ।

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୁକ୍ରବାର ଦିନ କହିଥିଲେ ଯେ, ପ୍ରାୟ ୨୦,୦୦୦ ଲୋକ ବର୍ତ୍ତମାନ ହୋମ୍ କ୍ବାରେଣ୍ଟାଇନ୍ ରେ ଅଛନ୍ତି କିମ୍ବା ସରକାରୀ ସୁବିଧା ସହ ନୀରିକ୍ଷଣରେ ଥିବା ଏହି ସମସ୍ତ ଲୋକଙ୍କର ଯତ୍ନ ନିଆଯାଉଛି ।ଏହି ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟର ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତେଲେଙ୍ଗାନା ୫୦୦ ନୂତନ ଭେଣ୍ଟିଲେଟର ପାଇଁ ନିର୍ଦ୍ଦେଶ ଦିଆସରିଛି ଏବଂ ସେଗୁଡିକ ମଧ୍ୟରୁ କେତେକ ପହଞ୍ଚିସାରିଛି ।

ସେ କହିଛନ୍ତି ଯେ, ଯଦିଓ ୬୦,୦୦୦ ଲୋକ (ସମସ୍ତ ବର୍ଗ) ପ୍ରଭାବିତ ହୁଅନ୍ତି, ଆମେ ଚିକିତ୍ସା କରିବାକୁ ପ୍ରସ୍ତୁତ ରହିଛୁ । ଅବସରପ୍ରାପ୍ତ ଡାକ୍ତରମାନଙ୍କର ଏକ ପୁଲ, ୧୧୦୦୦ MBBS ଡିଗ୍ରୀଧାରୀ ଏବଂ ଲ୍ୟାବ୍ ଟେକ୍ନିସିଆନଙ୍କୁ ପ୍ରସ୍ତୁତ କରାଯାଉଛି ଆବଶ୍ୟକ ହେଲେ ସେମାନଙ୍କ ସେବା ମଧ୍ୟ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଠାରେ ଥିବା ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (ସିସିଏମବି) କେନ୍ଦ୍ରରେ ଥିବା ରାଜ୍ୟର ସମ୍ବଳ ଏବଂ ସୁବିଧା ଶେଷ ହେବା ପରେ ସରକାର କରୋନା ଭାଇରସ୍ ପରୀକ୍ଷା ପାଇଁ ଘରୋଇ ଲାବୋରେଟୋରୀ ସେବା ବ୍ୟବହାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.