ଗଛ ଲଗାଇବା ପାଇଁ ଯାଇଥିବା ମହିଳା ଫରେଷ୍ଟ ଅଧିକାରୀଙ୍କୁ ଶାସକ ଦଳ ବିଧାୟକଙ୍କ ଭାଇମାନେ ଠେଙ୍ଗାରେ ପିଟି କଲେ ଲହୁ ଲୁହାଣ, ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି
30/06/2019 at 6:15 PM

ହାଇଦ୍ରାବାଦ ୩୦|୬: ବାରମ୍ବାର ଏବେ ଗୋଟିଏ ଚିତ୍ର ଦେଶରେ ଦେଖାଦେଉଛି ପବ୍ଲିକଙ୍କୁ ମତେଇ ନେତା କରୁଛନ୍ତି ହଲ୍ଲାବୋଲ। କାର୍ଯ୍ୟରତ ଅଫିସରଙ୍କୁ କରାଯାଉଛି ଆକ୍ରମଣ। ମଧ୍ୟପ୍ରଦେଶର ବିଜେପି ଏମଏଲଏଙ୍କ କାଣ୍ଡକାରଖାନା ମନରୁ ନ ଲିଭୁଣୁ ଏବେ ତେଲେଙ୍ଗାନାରୁ ଆସିଛି ସମାନ ଚିତ୍ର। ଜଣେ ଲେଡି ଫରେଷ୍ଟ ଅଫିସରଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଏମଏଲଏଙ୍କ ନିଜ ଲୋକ।
ଦେଖନ୍ତୁ ଏହି ଚିତ୍ରକୁ । ଜଣେ କାର୍ଯ୍ୟରତ ଲେଡି ଅଫିସରଙ୍କୁ କେମିତି ଘେରି ଯାଇ ଠେଙ୍ଗାରେ ପିଟୁଛନ୍ତି କିଛି ଲୋକ। ଆତଙ୍କରାଜ ଚଳାଇଛନ୍ତି। ଅଶାଳିନ ଭାଷାରେ ଗାଳିଗୁଲଜ କରୁଛନ୍ତି। ଆଉ ଠେଙ୍ଗାମାଡ଼ରେ ଆହତ ହୋଇଛନ୍ତି ମହିଳା କର୍ମଚାରୀ। ତଳେ ପଡ଼ିଯାଉଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଛି।
ଏ ଦୃଶ୍ୟ ହେଉଛି ତେଲେଙ୍ଗାନାର। ଯେଉଁମାନେ ଆକ୍ରମଣ କରୁଛନ୍ତି ତେଲେଙ୍ଗାନାର ଶାସକ ଟିଆରଏସ ବିଧାୟକଙ୍କ ଭାଇ ଏବଂ ତାଙ୍କ ସମର୍ଥକମାନେ। ଘଟଣା ଘଟିଛି ଆସିଫାବାଦ ଜିଲ୍ଲାର ସରାସଲା ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଫରେଷ୍ଟ ରେଞ୍ଜ ଅଫିସର ସି ଅନୀତା ସରକାରଙ୍କ ହରିତ ହରମ୍ କାର୍ଯ୍ୟକ୍ରମରେ ଚାରା ରୋପଣ କରିବାକୁ ଯାଇଥିଲେ। କିନ୍ତୁ ଜାଗା ସେମାନଙ୍କର କହି ଘେରି ଯାଇଥିଲେ ଟିଆରଏସ ବିଧାୟକ କୋନେରୁ କନପ୍ପାଙ୍କ ଭାଇ କୋନେରୁ କ୍ରିଷ୍ଣା ଓ ତାଙ୍କ ସମର୍ଥକମାନେ।
ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରେ ପୋଲିସ ବିଧାୟକଙ୍କ ଭାଇଙ୍କୁ ଅଟକ ରଖିଛି। ନେତା ହେବାର ବର୍ତ୍ତମାନର ସୁପର ଫର୍ମୁଲା। ଲୋକଙ୍କୁ ଏକାଠି କରି ସରକାରୀ କର୍ମଚାରୀଙ୍କୁ ମାଡ଼। ଏମିତି ଘଟଣା ତ ଘଟୁଛି ଏବେ ଆମ ଦେଶରେ। ମନରୁ ଲିଭିନାହିଁ। ମଧ୍ୟପ୍ରଦେଶର ବିଜେପି ବିଧାୟକ ଆକାଶ ବିଜୟ ଭର୍ଗିୟ ଏକ ବ୍ୟାଟରେ ପୌର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଘଟଣା ଘଟିଥିଲା ଇନ୍ଦୋରରେ ଗତ ଗୁରୁବାର ଦିନ। ବ୍ୟାଟ ଆକ୍ରମଣରେ ଲହୁଲୁହାଣ ହୋଇଥିଲେ ସଂପୃକ୍ତ କର୍ମଚାରୀ। କର୍ମଚାରୀ ଆହତ ହୋଇ ହସ୍ପିଟାଲରୁ ବାହାରିନାହାନ୍ତି କିନ୍ତୁ ବିଧାୟକ ବେଲ୍ ପାଇଁ କଲର ଟେକି ବୁଲିଲେଣି। ଆଉ କହିବୁଲିଲେଣି ସେ ଏମିତି ବ୍ୟାଟିଂ ଜାରି ରଖିବେ। ଏ ଧରଣ ଘଟଣା ଉପରେ ରୋକ ଆସିବା ପରିବର୍ତ୍ତେ ଏବେ ବଢ଼ିବାରେ ଲାଗିଛି। କେବଳ ଦିନ ଗଣିବା କଥା ଆଗକୁ କେଉଁ ନେତାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିବ।