ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନୀତିଶ କୁମାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ତେଜସ୍ୱି ଯାଦବ

Published By : Prameya-News7 Bureau | October 19, 2020 IST

ପାଟନା ୧୯/୧୦ : ବିହାର ବିଧାନସଭା ନିର୍ବାଚନ ମାହୋଲ ପୁରା ସରଗରମ ରହିଛି। ଜେଡିୟୁ ନେତା ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପ୍ରମୁଖ ବିରୋଧୀ ଦଳ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱି ଯାଦବଙ୍କ ମଧ୍ୟରେ ପରସ୍ପର ବିରୋଧୀ ବୟାନବାଜି ଚରମ ସୀମାରେ ପହଞ୍ଚିଛି। ଏହି କ୍ରମରେ ସୋମବାର ଦିନ ତେଜସ୍ୱି ଯାଦବ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପେଶ କରି ନୀତିଶ କୁମାରଙ୍କୁ ନିର୍ବାଚନ ପୂର୍ବରୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ତେଜସ୍ୱି ଯାଦବ କହିଛନ୍ତି ଯେ ନୀତିଶ କୁମାରଙ୍କୁ ନେଇ ଲୋକଙ୍କ ମନରେ ଆକ୍ରୋଶ ରହିଛି। ଅନେକ ଲୋକ ସାମ୍ନାକୁ ଆସି ନୀତିଶ ସରକାର ବିରୋଧରେ କ୍ରୋଧ ଜାହିର କରୁଛନ୍ତି। ସେଥିପାଇଁ ସେ ନୀତିଶ କୁମାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଯେ ସେ ଯେତେବେଳେ ଯେଉଁଠି ଇଚ୍ଛା ଯେଉଁ ପ୍ରସଙ୍ଗରେ ହେଉ ତାଙ୍କ ସହ ତର୍କ କରିପାରିବେ। ଗତ ୧୫ ବର୍ଷର ଶାସନର ଯେକୌଣସି ଉପଲବ୍ଧ ଉପରେ ସେ ତର୍କ କରନ୍ତୁ ବୋଲି ତେଜସ୍ୱି କହିଛନ୍ତି। ଏକ ନୂଆ ପରମ୍ପରା ଆରମ୍ଭ ହେବା ଉଚିତ। ତେଜସ୍ୱି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନୀତିଶ ତାଙ୍କ ସହ ତର୍କ କରନ୍ତି ବୋଲି ସେ କହିଛନ୍ତି।

ଏନଡିଏ ସହ ଲୋକଜନଶକ୍ତି ପାର୍ଟି ଅଲଗା ହେବାକୁ ନେଇ ସରଗରମ ଥିବା ରାଜନୈତିକ ମାହୋଲକୁ ନେଇ ତେଜସ୍ୱି ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, 'ଚିରାଗ ପାଶୱାନ ସହ ନୀତିଶ କୁମାର ଭଲ କରିନାହାନ୍ତି। ରାମବିଳାସ ପାଶୱାନ ଆଜି ଆମ ସମସ୍ତଙ୍କ ମଝିରେ ନାହାନ୍ତି, ସେଥିପାଇଁ ଆମେ ସମସ୍ତେ ଚିରାଗଙ୍କ ପାଇଁ ଦୁଃଖିତ।' ତେଜସ୍ୱି ଏନଡିଏର ପ୍ରମୁଖ ଘଟକ ଦଳ ବିଜେପି ନେତା ସୁଶୀଲ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସୁଶୀଲ ମୋଦିଙ୍କ କାମ କେବଳ ମିଛ କହିବା। ତାଙ୍କୁ ଜଣାଇବା ଦରକାର ଯେ ବିହାର ବିଜୁଳି ଉତ୍ପାଦନ କରୁନି। ବିଜୁଳି କିଣି ରାଜ୍ୟବାସୀଙ୍କୁ ଯୋଗାଇବାକୁ ପଡିଥାଏ। ତାଙ୍କ ସରକାର ଆସିଲେ ସେ ବିହାରରେ ବିଜୁଳି ଉତ୍ପାଦନ କରିବେ ବୋଲି କହିଛନ୍ତି।

ଲାଲୁ ଯାଦବଙ୍କୁ ନେଇ ରାବଡୀ ଦେବୀଙ୍କ ବୟାନ ଉପରେ ତେଜସ୍ୱି କହିଛନ୍ତି ଯେ କୌଣସି କଥା ଲୁଚିନାହିଁ। ସମସ୍ତେ ଜାଣିଛନ୍ତି ଯେ ଲାଲୁ ଯାଦବ ଦଳର ସର୍ବେସର୍ବା। ଆରଜେଡି ଷ୍ଟାର ପ୍ରଚାରକ ଲାଲୁ ଯାଦବଙ୍କ ଟ୍ୱିଟକୁ ନେଇ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ପ୍ରଥମେ ଏହାର ଜବାବ ରଖୁ ଯେ ତାଙ୍କ ସରକାରଙ୍କ କାର୍ଯ୍ୟକାଳରେ ୬୦ଟି ଦୁର୍ନୀତି ହୋଇଛି, ତାର ଟଙ୍କା ବିହାରକୁ କିଏ ଫେରାଇବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.