କରୋନା ଟିକା ନେଲେ ତେଜସ୍ୱି ଓ ତେଜ ପ୍ରତାପ ଯାଦବ: କଡ଼ା କଥା କହିଲା ଜେଡିୟୁ

Published By : Prameya-News7 Bureau | June 30, 2021 IST

ପାଟନା ୩୦/୦୬ : ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଏବଂ ତାଙ୍କ ପରିବାର କରୋନା ଟିକା ନ ନେବା ନେଇ ପ୍ରଶ୍ନ ଉଠିଥିଲା। ଆଜି ତେଜସ୍ୱୀ ଓ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବଙ୍କ ସହ ଋଷ୍‌ ପ୍ରସ୍ତୁତ ସ୍ପୁଟନିକ୍ ଟିକା ନେଇଛନ୍ତି। ତେଜସ୍ୱୀ-ତେଜ ପ୍ରତାପଙ୍କ ସହ ପୂର୍ବତନ ବିଧାୟକ ଶକ୍ତି ସିଂ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବ ପାଟନାର ମେଦାନ୍ତା ହସ୍ପିଟାଲରେ କରୋନା ଟିକା ନେଇଛନ୍ତି। ଏହି ଟିକା ନେବା ପରେ ତେଜସ୍ୱୀ ଯାଦବ କହିଛନ୍ତି ଯେ କରୋନା ସହ ଲଢ଼ିବାରେ ସମସ୍ତ ଟିକା ପ୍ରଭାବଶାଳୀ, କିନ୍ତୁ ସେ ସ୍ପୁଟନିକ୍ ଟିକା ନେଇଛନ୍ତି।

ଏନଡିଏର ଟିକାକୁ ନେଇ ପ୍ରଶ୍ନ ଉଠିଥିବା ପ୍ରଶ୍ନ ଉପରେ ତେଜସ୍ୱୀ ଯାଦବ କହିଛନ୍ତି ଯେ ଯାହାକୁ ବୟାନବାଜି କରିବାର ଅଛି ସେମାନେ କରନ୍ତୁ। ସେ ଏହି ଟିକା ନେଇସାରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଆରଜେଡିର ଜିଲ୍ଲା ମୁଖ୍ୟଙ୍କ ସହ ଏକ ବୈଠକରେ ସେ କରୋନା ମହାମାରୀରେ ଲୋକଙ୍କୁ ସାହାଯ୍ୟ କରିବା ଓ ଟୀକାକରଣ କରିବାକୁ ଅପିଲ କରିଥିଲେ।

ତେଜସ୍ୱୀ ଯାଦବ ଟୀକା ନେବାପରେ ଜେଡିୟୁ ନେତା ନୀରଜ କୁମାର ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏହି ଟୀକାକରଣକୁ କାଳ୍ପନିକ ବୋଲି କହୁଥିବା ତେଜସ୍ୱୀ ଯାଦବ ମଧ୍ୟ ଟିକା ନେଇଛନ୍ତି। ସ୍ୱଦେଶୀ ମଧ୍ୟ ଉପଲବ୍ଧ କିନ୍ତୁ ଆପଣ ବିଦେଶୀ ଟୀକା ନେଇଛନ୍ତି, ହଉ ଆପଣଙ୍କ ଇଚ୍ଛା। ତେଜସ୍ୱୀ ଯାଦବ ରାଜନୈତିକ ଟୀକାକରଣରେ ବ୍ୟସ୍ତ ଥିଲେ। ବିଳମ୍ବରେ ହେଉ ପଛେ କିନ୍ତୁ ବିଦେଶୀ ଟିକା ନେଲେ। ଏହା ଆପଣଙ୍କର ପ୍ରବୃତ୍ତି ବୋଲି ସେ କହିଛନ୍ତି ।

ଆସନ୍ତା କିଛି ଦିନ ପରେ ବିହାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବାଚସ୍ପତି ବିଜୟ କୁମାର ସିହ୍ନା କିଛି ଦିନ ପୂର୍ବରୁ କହିଥିଲେ ଯେ ସମସ୍ତ ବିଧାୟକ କରୋନା ଟିକା ନେଲା ପରେ ହିଁ ସଂସଦ ଆସିବେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଆରଜେଡି ନେତାମାନେ ବିରୋଧ କରିଥିଲେ। କିନ୍ତୁ ତେଜସ୍ୱୀ ଯାଦବ ଏବଂ ତାଙ୍କ ଭାଇ କରୋନା ଟିକା ନେଇଛନ୍ତି। ବର୍ତ୍ତମାନ ଟୀକାକୁ ନେଇ ଲାଲୁ ଯାଦବଙ୍କ ପରିବାର ଯେଉଁସବୁ ପ୍ରଶ୍ନ ଉଠାଇଥିଲେ ତାହା ସେମାନେ ବଦଳାଇବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.