ନୀଳଗିରି ୮।୮: ନୀଳଗିରି ଏନଏସି ଆଜିଠାରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିବା ବେଳେ ଅମାନିଆଙ୍କୁ ସାବାଡ଼ କରିଛନ୍ତି ନୀଳଗିରି ତହସିଲଦାର। ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପ୍ରଶାସନ କିଛି କଠୋର ପଦକ୍ଷେପ ନେଇଥିବା ବେଳେ ଆଜି ପୁଣି ସନ୍ତରାଗଡ଼ିଆ ଅଂଚଳରେ କରୋନା ସଂକ୍ରମିତ ବାହାରିବା ଚିନ୍ତାର କାରଣ ପାଲଟିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ କରୋନା ସଂକ୍ରମିତ ବଢିବାରେ ଲାଗିଛି । ସନ୍ତରାଗଡ଼ିଆ ଓ ରାଧାକିଶୋରପୁର, ନୀଳଗିରି ଏନଏସି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ । ରାଧାକିଶୋରପୁର ଅଞ୍ଚଳରେ ପ୍ରଶାସନ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବାବେଳେ ବେଳେ ସ୍ଥାନୀୟ ସରପଞ୍ଚ ମଧ୍ୟ ପଂଚାୟତକୁ ସଟଡାଉନ ଘୋଷଣା କରିଥିଲେ ।
ସେହିପରି ସନ୍ତରାଗଡ଼ିଆ ସମେତ ଶ୍ୟାମସୁନ୍ଦରପୁର ପଂଚାୟତ ର ବିଭିନ୍ନ ଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ସ୍ଥାନୀୟ ସରପଞ୍ଚ ମଧ୍ୟ ସଟଡାଉନ ଘୋଷଣା କରିଛନ୍ତି। ଏପରିକି ଆଜି ଜଣେ ୪୦ ବର୍ଷୀୟ ଯୁବକ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି । ନୀଳଗିରି ଏନଏସି ଘାଟଘରସାହିରେ ଗୋଟିଏ ପରିବାର ୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ଅନ୍ୟ ପରିବାରର ଆଉ ଜଣେ ଆକ୍ରାନ୍ତ ହୋଇଥିଲେ। ବ୍ଲକ ଓ କୃଷିବିଭାଗ ଅଫିସର ଜଣେ ଲେଖାଏଁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ ।
ତେବେ ନୀଳଗିରି ଏନଏସିରେ ସଂକ୍ରମଣକୁ ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନିଷ୍ପତ୍ତି କ୍ରମେ ୭ ଦିନ ସଟ ଡାଉନ ଘୋଷଣା କରିବାକୁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ହେଲେ ଗତକାଲି ରାତି ୧୨ଟା ଠାରୁ ମଙ୍ଗଳବାର ସକାଳ ୫ ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିଲା । ହେଲେ ଅତ୍ୟାବଶ୍ୟକ ସାମଗ୍ରୀ, ପରିବା ଓ ସଉଦା ଦୋକାନ ୬ଟାରୁ ୧୨ ଟା ଯାଏଁ ଖୋଲାଯିବାକୁ ଅନୁମତି ମିଳିଥିବା ବେଳେ ବ୍ୟାଙ୍କଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦିନ ୧୧ ଟା ପର୍ଯ୍ୟନ୍ତ ଗ୍ରାହକଙ୍କୁ ସେବାଯୋଗାଇବ ଓ ୧୨ଟାରେ ବ୍ୟାଙ୍କ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । ହେଲେ ଲୋକମାନେ ଅଯଥାରେ ଗହଳି କରୁଥିବା ଦେଖିବାକୁ ମିଳିଛି । ବାଇକରେ ଦୁଇଜଣ ବସି ଅଯଥାରେ ଯାଉଥିବାବେଳେ ଚାରିଚକିଆ ଯାନ ମଧ୍ୟ ଚାଲୁଥିବା ଦେଖାଯାଇଥିଲା ।
ନୀଳଗିରି ତହସିଲଦାର ଅଶେଷ ନାୟକ ପୋଲିସ ଫୋର୍ସ ନେଇ ଅମାନିଆଙ୍କୁ ଆଜି ସାବାଡ଼ କରିଛନ୍ତି। ବାଇପାସ ରୋଡ଼ ରେ ଯାଂଚ କରିବା ସହ ଯେଉଁମାନେ ଜରୁରୀକାଳୀନ କାର୍ଯ୍ୟଙ୍କୁ ଛାଡି ଅନ୍ୟମାନଙ୍କୁ ଜରିମନା କରିଛନ୍ତି । ପାଖାପାଖି ୧୮ ହଜାର ଟଙ୍କା ଆଜି ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ତେବେ ଆସନ୍ତାକାଲିଠାରୁ ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ସହ ଅମାନିଆଙ୍କୁ ସର୍ବୋଚ୍ଚ ଜରିମନା ଧାର୍ଯ୍ୟ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।