ପ୍ରହସନ ସାଜିଛି ମୋ ଗାଁରେ ତହସିଲ ଯୋଜନା! ୪ ବର୍ଷ ହେଲା କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ଲୋକେ, ମିଳୁନି ସୁଫଳ

Published By : Prameya-News7 Bureau | November 18, 2020 IST

ସାନଖେମୁଣ୍ଡି  ୧୮/୧୧: ଦୀର୍ଘ ୪ ବର୍ଷ ହେବ ଘରବାରୀ ପଟ୍ଟା ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରି ବାରମ୍ବାର ଦୌଡୁଥିଲେ ମଧ୍ୟ ତହସିଲରୁ ଲୋକଙ୍କୁ ମିଳୁନାହିଁ ସେବା। ତହସିଲ ଗାଁରେ ପହଞ୍ଚି ରାଜସ୍ଵ ସେବା ଯୋଗାଣ ପାଇଁ ସରକାର ଗୁରୁତ୍ଵ ଦେଉଥିବା ବେକେ ୨୦୧୮ ମସିହାରୁ ପଟ୍ଟା ପାଇଁ ଆବେଦନ କରି ଲୋକେ ନିରାଶ ହେଉଛନ୍ତି।  ସାନଖେମୁଣ୍ଡି ତହସିଲ ଖଲିଙ୍ଗି ରାଜସ୍ବ ସର୍କଲ ଖଲିଙ୍ଗି ଗ୍ରାମର କିଛି ଲୋକଙ୍କୁ ଘର ବାରି ପଟ୍ଟା ପ୍ରଦାନ କରିବା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ।

ଗତ ଦୁଇ ବର୍ଷ ତଳେ ପଟ୍ଟା ହେବା ପାଇଁ କେସ ନଂ ମିଳିସାରିଛି ତଥାପି ଆଜି ସୁଦ୍ଧା ପଟ୍ଟା ମିଳିନାହିଁ। ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଖଲିଙ୍ଗି ଗ୍ରାମରେ କିଛି ଘର ଗ୍ରାମକଣ୍ଠ ପରଂମ୍ବକ  ରହିଯାଇଥିବା ହେତୁ ଗ୍ରାମବାସୀ ପୂର୍ବରୁ ତହସିଲଦାରଙ୍କୁ ଘରବାରି ପଟ୍ଟା କରିବା ପାଇଁ ଜଣାଇଥିଲେ। ହେଲେ ତହସିଲ ଅଫିସର କର୍ମଚାରୀ ମାନେ ଗ୍ରାମରେ ପହଁଞ୍ଚି ତଦନ୍ତ କରି ଫେରିଥିଲେ ମଧ୍ୟ ଆଜି ସୁଦ୍ଧା ଘରବାରି ପଟ୍ଟା ମିଳୁନାହିଁ ।

ଏନେଇ ଗ୍ରାମବାସୀ ଓ ଶ୍ରୀ ରାମ କୃଷକ ସଙ୍ଗଠନ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇନଥିବାରୁ ବୁଧବାର ଗ୍ରାମର ଶ୍ରୀନିବାସ ପାଢୀ, ସନ୍ତୋଷ ବାଡ଼ତ୍ୟା, ଲିଙ୍ଗରାଜ ପ୍ରଧାନ, ଦାମୋଦର ପାଢୀ, ରାଜେନ୍ଦ୍ର ଡାକୁଆ, ତାରିଣୀ ନାହାକ, କୈଳାଶ ମହାପାତ୍ରଙ୍କ ସମେତ ୨୦ ଜଣରୁ ଉର୍ଦ୍ଧ୍ଵ ଲୋକ  ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ତହସିଲଦାର ଡ଼.ଶ୍ରୀନିବାସ ବେହେରାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏନେଇ ତହସିଲଦାର ଶ୍ରୀନିବାସ ବେହେରା କହିଛନ୍ତି ଯେ ମୁଁ ବର୍ତ୍ତମାନ ସାନଖେମୁଣ୍ଡିରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛି। ଆସନ୍ତା ତିନି ମାସ ମଧ୍ୟରେ ତଦନ୍ତ କରି ସମସ୍ତଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.