ନିଜ ଦେହରେ ନିଜେ ଛୁରୀ ଭୁଷି ଥାନାରେ ପହଞ୍ଚିଗଲେ ୧୯ ବର୍ଷୀୟା ଯୁବତୀ, ଗଣଦୁଷ୍କର୍ମର ଅଭିଯୋଗ ଆଣି କାହିଁକି ନିଜକୁ କଲେ ବଦନାମ ?

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧/୦୧: ମିଛ ମାମଲାର ତଦନ୍ତ କରି ହାଲିଆ ହେଲା ପୋଲିସ। ମାମଲା ଭିତ୍ତିହୀନ ବୋଲି ଜାଣିବା ପରେ ଅଭିଯୋଗକାରିଣୀଙ୍କ ବିରୋଧରେ ଲଗାଇଲା ସଙ୍ଗୀନ ଦଫା। ସବୁ ଜାଣିଶୁଣି ଥାନାରେ ହାଇଡ୍ରାମା କରିଥିବା ଯୁବତୀଙ୍କ ବିରୋଧରେ ରୁଜ କଲା ମାମଲା। ତେବେ ଯୁବତୀଙ୍କ ମାମଲା ମିଛ ବୋଲି ପୋଲିସ ଜାଣିଲା କେମିତି ? ଯୁବତୀ ଏମିତି କଣ ଏତଲା ଦେଲେ ଯେ ତଦନ୍ତ ପାଇ ପୋଲିସ ନୟାନ୍ତ ହୋଇଗଲା ? ଏଭଳି ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ। ତେବେ ଆସୁନ୍ତୁ ଜାଣିବା ପ୍ରକୃତରେ ଯୁବତୀଙ୍କ ଏତଲାରେ କଣ ଲେଖାଥିଲା।

ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଇନ୍ଦୋର ଜଣେ ୧୯ ବର୍ଷୀୟା ଝିଅ ଥାନାରେ ପହଞ୍ଚିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥାନାରେ ପହଞ୍ଚିଥିଲେ। ପୋଲିସ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ। ଯୁବତୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ୫ ଜଣ ଦୁଷ୍କର୍ମ କରିବା ସହ ଛୁରୀରେ ଭୁଷି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କୌଣସି ମତେ ସେଠାରୁ ବଞ୍ଚି ସେ ଥାନାରେ ପହଞ୍ଚିଛନ୍ତି। ପୋଲିସ ଯୁବତୀଙ୍କ ପାଖରୁ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଅନୁସାରେ ଯୁବତୀ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିଲେ। ଅନ୍ୟ ୩ ଜଣଙ୍କ ସହ ମିଶି ତାଙ୍କ ସହ ଦୁଷ୍କର୍ମ କଲେ। ପରେ ଅଖାରେ ପୂରାଇ ଟ୍ରେନ୍‌ ଲାଇନ୍‌ରେ ମରିବା ପାଇଁ ଛାଡ଼ି ଦେଇଥିଲେ। କିନ୍ତୁ ସେ ନିଜେ ଏବଂ କିଛି ଅନ୍ୟ ଲୋକଙ୍କ ସହାୟତାରେ ସେଠାରୁ ବଞ୍ଚି ଫେରିଥିଲେ।

ମାମଲାରେ ତଦନ୍ତ କରିବାକୁ ଯାଇ ପୋଲିସ ୧୫୦ ସିସିଟିଭ୍‌ ଫୁଟେଜ୍‌ ଯାଞ୍ଚ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ନେଇ ଟ୍ରେନ୍‌ ଲାଇନ୍‌ରେ ସୁରାକ ଖୋଜିବାକୁ ଚେଷ୍ଟା କରିଥିଲା ପୋଲିସ। ଏତେ ସବୁ ପରେ ପୋଲିସ ଜାଣିବାକୁ ପାଇଥିଲା ଯୁବତୀ ଜଣଙ୍କ ମିଥ୍ୟା ଅଭିଯୋଗ କରିଛନ୍ତି। ଏପରିକି ଯୁବତୀ ଜଣଙ୍କ ନିଜକୁ ନିଜେ ଛୁରୀରେ ଭୁଷି ଥାନାକୁ ଆସିଥିଲେ। ଏହା ସହ ଯୁବତୀ ଏତଲାରେ ଦର୍ଶାଇଥିବା ମୁଖ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା।  ସେମାନେ  ଗୋଟିଏ ଅଞ୍ଚଳରେ ରହୁଥିଲେ।

ତେବେ ପୋଲିସ ଯୁବତୀଙ୍କ ବିରୋଧରେ ମାମଲା ରଜୁ କରିଛି। ଅନ୍ୟପଟେ ଯୁବତୀ ଜଣଙ୍କ ଗୁରୁତର ଥିବା ବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମିଥ୍ୟା ଅଭିଯୋଗ କରିଥିବା ନେଇ ପୋଲିସ ଯୁବତୀଙ୍କୁ ସୁସ୍ଥ ହେବା ପରେ ଗିରଫ କରିପାରେ ବୋଲି କୁହାଯାଉଛି। ଜଣେ ଯୁବତୀ ନିଜ ଇଜ୍ଜତକୁ ନିଜେ ହିଁ କେମିତି ବଦନାମ କରିଲା ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.