ଭାଇଙ୍କ ସହ ବିବାହ କରିବାକୁ ଚାହୁଁଥିଲେ ନାବାଳିକା, ଘରଲୋକେ ରାଜି ନହେବାରୁ ଉଭୟ କଲେ ଆତ୍ମହତ୍ୟା

Published By : Prameya-News7 Bureau | December 26, 2019 IST

ଦିଲ୍ଲୀ ୨୬।୧୨: ଦାଦା ପୁଅ ଭାଇଙ୍କୁ ଭଲ ପାଉଥିଲେ ନାବାଳିକା । ଉଭୟ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ପରିବାରଲୋକ ଏମାନଙ୍କ ପ୍ରେମକୁ ଅସ୍ବୀକାର କରିବାରୁ ଉଭୟ ଆତ୍ମହତ୍ୟା କରିଦେଇଛନ୍ତି । ଦିଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଯୁବକ ଜଣଙ୍କ ରାଜସ୍ଥାନର କୋଟାରେ ରହୁଥିଲେ । ସେଠାରେ ରହି ସେ ଇଂଜିନିୟରିଂ ପଢିବା ପାଇଁ ପ୍ରସ୍ତୁତି କରୁଥିଲେ । ନାବାଳିକା ଜଣଙ୍କ ଦିଲ୍ଲୀରେ ରହୁଥିଲେ । ଯୁବକ ଜଣଙ୍କ ନାବାଳିକାଙ୍କର ସଂପର୍କୀୟ ଦାଦାଙ୍କ ପୁଅ ଥିଲେ । ଉଭୟ ସଂପର୍କରେ ଭାଇ-ଭଉଣୀ ଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ସେମାନେ ଦୁହେଁ ଦୁହିଁକୁ ବିବାହ କରିବାକୁ ମଧ୍ୟ ଚାହୁଥିଲେ । ଯୁବକ ଜଣଙ୍କ ପ୍ରତିମାସରେ ଦିଲ୍ଲୀ ଆସୁଥିଲେ ନାବାଳିକାଙ୍କୁ ଦେଖା କରିବାକୁ । ଫଳରେ ଘରଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ଉଭୟଙ୍କୁ ପଚରାଉଚରା କରିଥିଲେ । ଉଭୟ ଭଲ ପାଉଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସେମାନେ ଘରଲୋକଙ୍କ ଆଗରେ ସ୍ପଷ୍ଟ କରିଥିଲେ । ମାତ୍ର ଘରଲୋକ ସେମାନଙ୍କ ସଂପର୍କକୁ ସ୍ବୀକାର ନକରିବାରୁ ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଜଣଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଘର ଛାତରେ ଲାଗିଥିବା ଏକ ହୁକ୍ ରେ ଝୁଲିଥିବା ଦେଖିବାକୁ ମିଳିଥିଲା ।

ଯେଉଁ ଘରେ ଉଭୟ ଆତ୍ମହତ୍ୟା କରିଛନ୍ତି ସେହି ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ସୁଇସାଇଡ୍ ନୋଟ୍ ରେ ଲେଖାଥିଲା ଯେ, ‘ଆମେ ଚିନ୍ତାରେ ଅଛୁ କାହିଁକି ନା ଆମ ପରିବାରଲୋକ ଆମ ଦୁହିଁଙ୍କର ବିବାହ ପାଇଁ ସ୍ବିକୃତୀ ଦେଉନାହାନ୍ତି । ସେମାନେ ପରିବାରର ଚିନ୍ତା କରୁଛନ୍ତି ଏବଂ ଆମେ ଆମର ଚିନ୍ତା କରୁଛୁ । ଏଥିପାଇଁ ଏଭଳି ପଦକ୍ଷେପ ନେଉଛୁ।’ ସୁଇସାଇଡ୍ ନୋଟ୍ ରେ ଉଭୟଙ୍କ ଦସ୍ତଖତ ମଧ୍ୟ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.