ପଡୋଶୀ ଯୁବକଙ୍କ ନିର୍ଯ୍ୟାତନା ସହିପାରିଲେ ନାହିଁ : ଦେହରେ ନିଆଁ ଲଗାଇ ଜୀବନ ହାରିଲେ ନାବାଳିକା, ୫ ମାସ ହେଲା ହଇରାଣ କରୁଥିଲା ଅଭିଯୁକ୍ତ

Published By : Prameya-News7 Bureau | November 24, 2020 IST

ଲକ୍ଷ୍ନୌ ୨୪/୧୧ : ଉତ୍ତରପ୍ରଦେଶର ମିର୍ଜାପୁରରେ ପଡୋଶୀ ଯୁବକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଜଣେ ନାବାଳିକା ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି । ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପରିବାରର ଲୋକଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକ ବିରୋଧରେ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ପୋଲିସ କହିବା ମୁତାବକ, ୧୫ ବର୍ଷର ନାବାଳିକା ନିଜ ଦେହରେ ନିଆଁ ଲଗାଇ ଜୀବନ ହରିଦେଇଛନ୍ତି । ନାବାଳିକାଙ୍କର ବାପା ଅନ୍ୟ ରାଜ୍ୟରେ କାମ କରନ୍ତି | ସେ ତାଙ୍କ ମାଙ୍କ ସହିତ ଏକାକୀ ଘରେ ରହୁଥିଲେ। କୁହାଯାଇଛି ଯେ ପଡୋଶୀ ଯୁବକଙ୍କ ବ୍ୟବହାରକୁ ନେଇ ଚିନ୍ତାରେ ଥିଲେ । ପରିବାର ସଦସ୍ୟ କହିଛନ୍ତି ଯେ ସଂପୃକ୍ତ ଯୁବକଜଣକ ଗତ ପାଞ୍ଚ ମାସ ହେବ ସେହି ନାବାଳିକାଙ୍କ ପଛରେ ପଡ଼ି ଥିଲା । ଏମିତିକି ସ୍କୁଲ ଯିବା ଆସିବା ସମୟରେ ବାଟରେ ନାବାଳିକାଙ୍କୁ ନାନାହଇରାଣ ହରକତ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ । କିନ୍ତୁ ଭୟରେ ନାବାଳିକାଜଣକ ଏହି ବିଷୟରେ କାହାକୁ କିଛି କହୁନଥିଲେ ।

ଏହି ଘଟଣା ବାରମ୍ବାର ଘଟିବାରୁ ଅତିଷ୍ଠ ହୋଇ ନିଜ ରୁମରେ କିରୋସିନ ଢାଳି ହୋଇ ନିଆଁ ଲଗାଇଦେଇଥିଲେ ଉକ୍ତ ନାବାଳିକା । ନିଆଁ ଲାଗିବା ପରେ ଚିତ୍କାର କରିବାରୁ ପରିବାର ଲୋକେ ହପଞ୍ଚିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଜିଲ୍ଲାପାଳ ସୁଶୀଲ ପଟେଲ ଏବଂ ଏସପି ଅଜୟ ସିଂହ ପୀଡିତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣାବାବଦରେ ପଚରାଉଚରା କରିଥିଲେ । ଝିଅକୁ ନ୍ୟାୟ ମିଳିବ ବୋଲି ଏସପି, ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି । ଖୁବଶୀଘ୍ର ସଂପୃକ୍ତ ଯୁବକକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.