ବିବାହ ପୂର୍ବରୁ ଟଙ୍କା ଏବଂ ସୁନାଗହଣା ନେଇ ଘରଛାଡି ଚାଲିଗଲା ଝିଅ, ପଞ୍ଜାବୀ ଗାୟକ ଗୁରୁ ରାନ୍ଧଓ୍ବାଙ୍କୁ ଦାୟୀକଲେ ପରିବାର ଲୋକେ

Published By : Prameya-News7 Bureau | June 25, 2021 IST

ହମିରପୁର ୨୫/ ୦୬ : ଦିନ କେଇଟା ପରେ ହୋଇଥାନ୍ତା ବାହାଘର । ବନ୍ଧୁ ବାନ୍ଧବଙ୍କ ଦିଆ ସରିଥିଲା ନିମନ୍ତ୍ରଣ କାର୍ଡ । କିନ୍ତୁ ମାତ୍ର ଗୋଟିଏ ଦିନରେ ସବୁ ଓଲଟପାଲଟ ହୋଇଗଲା । ଘରୁ ଟଙ୍କା ଏବଂ ବିବାହ ପାଇଁ ଥିବା ସୁନାଗହଣା ନେଇ ଘରୁ କେଉଁଆଡେ ଫେରାର ହୋଇଗଲା ୧୯ ବର୍ଷୀୟା ଝିଅ । ହିମାଚଳ ପ୍ରଦେଶର ହମିରପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଯୁବତୀଙ୍କ ପରିବାର ଲୋକଙ୍କ ଅଜବ ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି । ଝିଅ ଫେରାର ହେବା ପାଇଁ ପଞ୍ଜାବୀ ଗାୟକ ଗୁରୁ ରାନ୍ଧଓ୍ବା ହିଁ ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଝିଅ ଫେରାର ହେବାନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଖୋଜ ମାମଲା ରୁଜୁ କରିଛନ୍ତି ଯୁବତୀଙ୍କ ବାପା । ଏ ନେଇ ହମିରପୁର ଡେପୁଟି ପୋଲିସ କମିସନର ଦେବଶ୍ବେତା ବାନିକ୍‌ଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ଯୁବତୀଙ୍କ ପିତା ।  

ଗତ ଜୁନ ୧୯ ତାରିଖରେ ଘରୁ କେଉଁଆଡେ ଚାଲିଯାଇଛନ୍ତି ଯୁବତୀ । ତାଙ୍କ ବାପା ଏ ନେଇ ଥାନାରେ ଜଣାଇବା ସହିତ ଘରୁ ପ୍ରାୟ ୫୦ ହଜାର ଟଙ୍କା ଏବଂ ସୁନାଗହଣା ନେଇଯାଇଥିବା କହିଥିଲେ । କିନ୍ତୁ ପୋଲିସ ଝିଅକୁ ଖୋଜିବାରେ ବିଫଳ ହୋଇଥିଲା । ଏହାପ​‌ରେ ପରିବାର ଲୋକେ ଜୁନ ୨୩ ତାରିଖରେ ହମିରପୁରର ଡେପୁଟି କମିସନରଙ୍କୁ ଭେଟି ଘଟଣା ବାବଦରେ ଅବଗତ କରାଇଥିଲେ ଏବଂ ଝିଅ ଖୋଜି ବାହାର କରିବା ପାଇଁ ଅନୁରୋଧ କରିଥିଲେ ।

ଯୁବତୀଙ୍କ ପିତାଙ୍କ ଅନୁଯାୟୀ, ତାଙ୍କ ଝିଅ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କର ସବୁଠାରୁ ବଡ ପ୍ରଶଂସକ ବୋଲି କହୁଥିଲା । ଯୁବତୀଙ୍କର ଟ୍ୱିଟରରେ ଏକ ଆକାଉଣ୍ଟ ମଧ୍ୟ ଅଛି, ଯେଉଁଥିରେ ସେ କେବଳ ଟ୍ବିଟଗୁଡିକୁ ରିଟ୍ୱିଟ୍ କରିଛନ୍ତି । ପରିବାର ଲୋକଙ୍କ କହିବା କଥା, ଝିଅଟି ସୋସିଆଲ ମିଡିଆରେ ଜଣେ ଯୁବକଙ୍କୁ ଭେଟିଥିଲା, ଯିଏକି ନିଜକୁ ଗୁରୁ ରାନ୍ଧୱାଙ୍କର ଘନିଷ୍ଠ ବନ୍ଧୁ ବୋଲି କହୁଥିଲେ ।

ତେବେ ଯୁବତୀଜଣକ ଭେଟିବା ପାଇଁ ସଂପୃକ୍ତ ଯୁବକଙ୍କ ନିକଟକୁ ଯାଇଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି । କିନ୍ତୁ ଅଭିନୟ ଦୁନିଆରେ କ୍ୟାରିୟର କରାଇଦେବାକୁ କହି ଉକ୍ତ ଯୁବକଜଣକ ପ୍ରଲୋଭିତ କରିଥାଇପାରନ୍ତି ବୋଲି ମଧ୍ୟ ପରିବାର ଲୋକେ ପୋଲିସକୁ କହିଛନ୍ତି ।

ପୋଲିସର ସୂଚନାନୁସାରେ, ଯୁବତୀଜଣକ ହମିରପୁର ଜିଲ୍ଲାର ବାର୍ସ ସବ୍ ଡିଭିଜନ ନିକଟ ତାଙ୍କ ଘରୁ କେଉଁଆଡେ ପଳାଇଛନ୍ତି । ଘରୁ ବାହାରିବା ପୂର୍ବରୁ ଯୁବତୀ ଏକ କାଗଜରେ ଲେଖିଯାଇଛନ୍ତି ଯେ, ‘ମୁଁ ଘର ଛାଡି ଯାଉଛି’ । ପୋଲିସ ଯୁବତୀଙ୍କୁ ଖୋଜାଖୋଜି ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.