ଟେକ୍ନୋଲୋଜି ବଦଳାଇ ଦେଲା ପରମ୍ପରା: ବର-କନ୍ୟାଙ୍କ ଅନୁପସ୍ଥିତିରେ ଚାଲିଛି ବିବାହ ଭୋଜିର ଆୟୋଜନ, ପୁଣି ବନ୍ଧୁ-ବାନ୍ଧବ ସମସ୍ତଙ୍କୁ ହୋଇଛି ନିମନ୍ତ୍ରଣ
28/12/2020 at 4:48 PM

କଟକ୨୮/୧୨: ବର-କନ୍ୟାଙ୍କ ଅନୁପସ୍ଥିତିରେ କଟକ କିଶନନଗରରେ ବିବାହ ଭୋଜିର ଆୟୋଜନ ଚାଲିଛି। ବନ୍ଧୁ-ବାନ୍ଧବଙ୍କ ସହ ସଂପର୍କୀୟମାନଙ୍କୁ ଏହି ବିବାହ ଭୋଜିକୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଆପଣ ଭାବୁଥିବେ, ବର-କନ୍ୟାଙ୍କ ବିନା ଉପସ୍ଥିତିରେ କିପରି ଭୋଜି-ଭାତର ଆୟୋଜନ ହୋଇଛି। ଏହା କି ପ୍ରକାର ବାହାଘର ? ପ୍ରକୃତ ଘଟଣା ହେଲା ବର-କନ୍ୟା ଉଭୟ ଆମେରିକାରେ ବିବାହ କରୁଛନ୍ତି। ଅନଲାଇନ୍ ଭିଡିଓ କଲିଂ ଜରିଆରେ ପରିବାର ଲୋକଙ୍କ ସହ ସାମିଲ ହୋଇଛନ୍ତି। ଝିଅ ଅର୍ପିତା ରାଉତରାୟ ଏବଂ ପୁଅ ଅର୍ଜକ ଭଟ୍ଟାଚାର୍ଯ୍ୟ ନୂଆ ଟେକ୍ନୋଲୋଜି ମାଧ୍ୟମରେ ପରିବାର ଲୋକଙ୍କ ସହ ଖୁସି ବାଣ୍ଟିଥିଲେ।
କୋଭିଡ୍ କଟକଣା ବାହାଘରର ରିତି-ରିବାଜ ଏବଂ ପରମ୍ପରା ସବୁ ବଦଳାଇ ଦେଇଛି। କଟକ କିଶନନଗର କାଳିକାପୁରରେ କନ୍ୟା ଘର ଏବଂ କୋଲକାତାରେ ବର ଘର। ଉଭୟ ପୁଅ-ଝିଅ ଏକାସାଙ୍ଗରେ ଆମେରିକାରେ ପାଠ ପଢ଼ନ୍ତି। କରୋନା କଟକଣା ଯୋଗୁଁ ଉଭୟଙ୍କ ବିବାହ ଉତ୍ସବରେ ପରିବାର ଲୋକେ ସାମିଲ ହୋଇ ପାରି ନଥିଲେ। ମାତ୍ର ଅନଲାଇନ୍ ଜରିଆରେ ଉଭୟ ପରିବାର ସେମାନଙ୍କ ବାହାଘରରେ ସାମିଲ ହୋଇଥିଲେ। ଏପଟେ କନ୍ୟା ଘର ପକ୍ଷରୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା।