Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ଫୋନି ରଚୁଥିଲା ତାଣ୍ଡବ, କାଳିଆ ଠାକୁରଙ୍କ ଚକାଆଖିରୁ ଝରୁଥିଲା ଅଶ୍ରୁର ଧାର !

11/05/2019 at 10:42 AM

ପୁରୀ ୧୧|୫ (କିଶନ ବରାଇ): ଏଣେ ବାତ୍ୟା ଫୋନି ଶ୍ରୀକ୍ଷେତ୍ରକୁ ଉଜାଡ଼ି ଚାଲିଥିଲା । ତେଣେ ଶ୍ରୀମନ୍ଦିରରେ କାନ୍ଦୁଥିଲେ କାଳିଆ ଠାକୁର । ଭକତ ଭାବରେ ବନ୍ଧା ସେ । ଭକ୍ତକୁ ଯେତେବେଳେ ଦୁଃଖ ପଡ଼ିଥିଲା ସେତେବେଳେ ତା’ର ଭଗବାନ କେମିତି ଚୁପ୍‌ ବସିଥାନ୍ତେ । ତାଙ୍କ ଆଖିରେ ବି ଥିଲା ଲୁହ ।

ବାତ୍ୟା ଆସି ଚାଲିଯିବା ପରେ ଶ୍ରୀମନ୍ଦିରରେ କଳା ଠାକୁରଙ୍କୁ ଯିଏ ଦେଖିଛି ସିଏ କାନ୍ଦିଛି । କାହିଁକି ନା’ କାନ୍ଦୁଥିଲେ କାଳିଆ ସାଆନ୍ତ । କାଳିଆ ଠାକୁରଙ୍କ ଚକାଆଖିରୁ ଝରୁଥିଲା ଅଶ୍ରୁର ଧାର । ସତରେ କ’ଣ କୋଟି ଓଡ଼ିଆଙ୍କ ମଉଡ଼ମଣୀଙ୍କ ଆଖିରେ ସେଦିନ ଲୁହ ଝରୁଥିଲା ? ଦର୍ଶନ କରିନଥିବା ଭକ୍ତର ମନରେ ଏ ପ୍ରଶ୍ନ ନିଶ୍ଚୟ ଉଙ୍କି ମାରୁଥିବ । ହେଲେ ଦେଖିଥିବା ଲୋକର ହୃଦୟ କୋରି ହୋଇଯାଉଥିଲା । ବାତ୍ୟା ଦିନ ସକାଳର ସୂର୍ଯ୍ୟପୂଜା, ରୋଷହୋମ, ମଇଲମ, ଅବକାଶ, ସକାଳ ଧୂପ ସବୁ ନୀତି କାନ୍ତି ସମୟ ଅନୁସାରେ ଚାଲିଥିଲା  । ଏହି ସମୟରେ ହଠାତ୍‌  ମାଡ଼ି ଆସିଲା ପବନ ବର୍ଷା । ଠାକୁରଙ୍କୁ ଆଶ୍ରା କରି ରହିଥିବା ସାରା ସହରରେ ଖେଳିଗଲା କୋକୁଆ ଭୟ ।

ବାତ୍ୟା ପାଇଁ ଶ୍ରୀମନ୍ଦିର ବେଢା ବି ଖାଲି ହୋଇଯାଇଥିଲା । ହାତଗଣତି କିଛି ଭକ୍ତ ଓ ସେବାୟତଙ୍କୁ ଛାଡିଦେଲେ ବାହାର ବେଢା ଜନଶୂନ୍ୟ ହୋଇପଡ଼ିଥିଲା । ଝଡ଼ପବନ, ବର୍ଷା ଆଉ ସହରର ଭିତରୁ ଉଡୁଥିବା ସାଇନବୋର୍ଡ, କାଚ, ଟିଣ, ଆଜବେଷ୍ଟସ ଖଣ୍ଡକୁ ଦେଖି ସେବାୟତ ଆଉ ଭକ୍ତମାନେ ଜଗମୋହନ ଭିତରକୁ ପଶିଯାଇଥିଲେ । ପବନରେ ଦୁଲୁକୁ ଥିଲା ସାରା ମନ୍ଦିର ।

କବାଟ ଫାଙ୍କରେ ପଶି ଆସୁଥିବା ପବନର ବେଗ ଅଣାୟତ୍ତ ହୋଇପଡ଼ୁଥିଲା । ଲାଗୁଥିଲା ସତେ ଯେମିତି ମାଡ଼ି ଆସୁଥିଲା ମହାପ୍ରଳୟ । ଏମିତି ଏକ ଆତଙ୍କିତ ପରିସ୍ଥିତିରେ ସେଦିନ ଉପସ୍ଥିତ ସେବାୟତ ଓ ଭକ୍ତମାନେ, ଚାରିକୋଟି ଓଡ଼ିଆଙ୍କର ରାହା, ସାହା, ଚଉବାହା ଚକାନୟନଙ୍କୁ ଚାହିଁ କେବଳ ତ୍ରାହି ତ୍ରାହି ଡାକୁଥିଲେ ।  

ମିଞ୍ଜି ମିଞ୍ଜି ଅଖଣ୍ଡ ଦୀପ ଆଲୁଅରେ ଦିଶୁଥିଲା କେବଳ ମହାବାହୁଙ୍କ ଚକା ଚକା ଆଖି ।  ଯାହାକୁ ଦେଖି ଚମକି ପଡିଥିଲେ ସେଠାରେ ଉପସ୍ଥିତି ଭକ୍ତ । ସୃଷ୍ଟିକର୍ତ୍ତାଙ୍କ ଚକାଆଖିରୁ ଝରି ପଡ଼ୁ ଥିଲା ଧାର ଧାର ଅଶ୍ରୁର ଧାର । ଯାହାକୁ ଦେଖି ଭକ୍ତ ମନରେ ଅନେକ ପ୍ରଶ୍ନ ଖୁନ୍ଦି ହୋଇଯାଉଥିଲା । ସତରେ କ’ଣ କାନ୍ଦୁଛନ୍ତି ସ୍ବୟଂ ଜଗନ୍ନାଥ ? ଶ୍ରୀକ୍ଷେତ୍ର ଶ୍ରୀହିନ ହୋଇଯାଉଥିବା ଦେଖି ସତରେ କ’ଣ ଜଗନ୍ନାଥଙ୍କ ଆଖିରୁ ଲୁହର ଧାର ନିଗିଡ଼ି ଆସୁଥିଲା ?  

ଗର୍ଭଗୃହର ଭିତରପଟୁ ବର୍ଷାପାଣି, ବାଲି ଭିଜାଇ ଦେଇଥିଲା ରତ୍ନ ସିଂହାସନକୁ । ଗର୍ଭଗୃହ ଭିତରେ ବି ଅମାନିଆ ପବନର ବେଗକୁ ବି ସ୍ପଷ୍ଟ ବାରି ହେଉଥିଲା । ସେବାୟତ ମାନେ ଝପଟି ଯାଇଥିଲେ ରତ୍ନ ସିଂହାସନ ପାଖକୁ । ଆଉ ଯାହା ଦେଖିଥିଲେ, ତାହାକୁ ସେମାନଙ୍କ ଆଖି ମଧ୍ୟ ସହଜରେ ବଶ୍ବାସ କରିପାରୁନଥିଲା । ଅଭିଶ୍ରାନ୍ତ ବର୍ଷାରେ ଭିଜୁଥିଲେ ଚତୁର୍ଦ୍ଧା ମୂରତି ।  

   Related Posts