ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍‌ ସିଲେକ୍ସନ ଆଶ୍ଚର୍ଯ୍ୟଜନକ ଥିଲା: ଜାଡେଜା

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧: ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବା ପରଠୁ ଟିମ୍‌ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲି ଖେଳାପ୍ରେମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ବହୁ ବରିଷ୍ଠ ଖେଳାଳି ମଧ୍ୟ ପରାଜୟ ପଛର ବିଭିନ୍ନ କାରଣ ସମ୍ପର୍କରେ କହିଛନ୍ତି। ଏହାକୁ ନେଇ ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ତଥା ଖେଳ ସମୀକ୍ଷକ ଅଜୟ ଜାଡେଜା ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆଇସିସି ଟି-୨୦ ବିଶ୍ବକପ୍‌ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ କୋହଲି ଆଣ୍ଡ କମ୍ପାନୀ ‘ପ୍ୟାନିକ୍‌ ବଟନ୍‌’ ଦବାଇ ଦେଇଥିଲେ।

ଟସ୍‌ ପୂର୍ବରୁ ଭାରତୀୟ ଟିମ୍‌ ଉପରେ ଭାରୀ ପଡ଼ିସାରିଥିଲା ନ୍ୟୁଜିଲାଣ୍ଡ ଟିମ୍‌ ।କିଓ୍ବି ବିପକ୍ଷରେ ଭାରତର ଟିମ୍‌ ଚୟନ ଭଲ ନଥିଲା । ଯାହା ଫଳରେ ଟିମ୍‌ ଇଣ୍ଡିଆ ପରାଜୟ ବରଣ କରିଛି ବୋଲି ଜଡେଜା କହିଛନ୍ତି। ସୂର୍ଯ୍ୟକୁମାର ଯାଦବ ଅନଫିଟ୍‌ ଥିବା ଯୋଗୁଁ ତାଙ୍କ ସ୍ଥାନରେ ଇଶାନ କିଷନଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଗଲା। ତାଙ୍କୁ କେଏଲ ରାହୁଲଙ୍କ ସହ ଓପନିଂ ପାଇଁ ପଠାଗଲା। ତୃତୀୟ ନମ୍ବରରେ ରୋହିତ ଶର୍ମା ଏବଂ ଖୋଦ ଅଧିନାୟକ ବିରାଟ କୋହଲି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ବାଧ୍ୟ ହୋଇଥିଲେ। କ୍ରିକ୍‌ବଜ୍‌କୁ ପ୍ରତିକ୍ରିୟାରେ ଜାଡେଜା କହିଛନ୍ତି, ନିଜ ଯୋଜନାକୁ ନେଇ ଟିମ୍‌ ସ୍ପଷ୍ଟ ନଥିଲା।

ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ସେଥିପାଇଁ ବିବ୍ରତ ହୋଇପଡ଼ିଛି। ଅଜୟ ଜାଡେଜାଙ୍କ ମତରେ, ଟସ୍‌ ପଡ଼ିବା ପୂର୍ବରୁ ପ୍ଲେଇଂ ଇଲେଭେନ୍‌ ଘୋଷଣା କରିବା ମାତ୍ରେ ଟିମ୍‌ ପ୍ୟାନିକ୍‌ ବଟନ୍‌ ଦବାଇ ଦେଇଥିଲା। ପରେ ଟସ୍‌ ହାରିବା ମଧ୍ୟ ଏକ ବଡ଼ ଝଟକା ଥିଲା। ନ୍ୟୁଜିଲାଣ୍ଡ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିବା ବେଳକୁ ଖେଳରେ ଆଉ କିଛି ନଥିଲା। ଛୋଟ ଆଶାଟିଏ ବଞ୍ଚିଥିଲା। ତାହା ମଧ୍ୟ ପ୍ରଥମ ୬ ଓଭର ବୋଲିଂରେ ଧୂଳିସାତ ହୋଇଗଲା ବୋଲି ୫୦ ବର୍ଷୀୟ ଅଜୟ ଜାଡେଜା କହିଛନ୍ତି।

ଏହା ବ୍ୟତୀତ  କୌଣସି ଟିମ୍‌ରେ ଶୀର୍ଷ କ୍ରମ ବ୍ୟାଟିଂ ବହୁତ ଭଲ ହେବା ଆବଶ୍ୟକ। ସର୍ବଶ୍ରେଷ୍ଠ ଖେଳାଳି ଟପ ଅର୍ଡରରେ ବ୍ୟାଟିଂ କରନ୍ତି। କାରଣ କେବଳ ୧୨୦ ବଲ୍‌ ହିଁ ଥାଏ। ଯଦି ଏନେଇ ଟିମ୍‌ ନିଶ୍ଚିତ ହୋଇ ପାରୁନାହିଁ ତେବେ ଭୁଲରୁ ହି ଶୁଭାରମ୍ଭ ହେବା ନିଶ୍ଚିତ ବୋଲି ଅଜୟ ଜାଡେଜା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.