ଗତ ୩୦ ଇନିଂସରେ ଶତକ ଶୂନ, ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ପ୍ଲେଇଙ୍ଗ ଇଲେଭେନରୁ ବାଦ୍ ପଡି ପାରନ୍ତି ପୂଜାରା

Published By : Prameya-News7 Bureau | June 26, 2021 IST

ସାଉଥମ୍ପଟନ ୨୬।୦୬: ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଆନଶିପର ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଏଥିସହ ବିଶ୍ଵ ଟେଷ୍ଟ ଚାମ୍ପିଅନ ହେବାର ବିରାଟ ବାହିନୀଙ୍କ ସ୍ଵପ୍ନ ଧୂଳିସାତ ହୋଇଛି। ଭାରତୀୟ ବ୍ୟାଟସମ୍ୟାନଙ୍କ ଦୟନୀୟ ପ୍ରଦର୍ଶନ ସଭିଙ୍କୁ ନିରାଶ କରିଛି। ଟେଷ୍ଟରେ ଭାରତର ମଜବୁତ ସ୍ତମ୍ଭ କୁହାଯାଉଥିବା ଚେତେଶ୍ଵର ପୂଜାରା ଉଭୟ ଇନିଂସରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଏବେ ଭାରତ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଦ୍ଵିତୀୟ ସଂସ୍କରଣର ଅଭିଯାନ ଆରମ୍ଭ କରିବ।

ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ଚେତେଶ୍ଵର ପୂଜାରାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେବାକୁ ଦଳ ପ୍ରବନ୍ଧକ ବିଚାର କରୁଛନ୍ତି। ପୂଜାରା କ୍ରମାଗତ ନିରାଶଜନକ ପ୍ରଦର୍ଶନ କରୁଥିବା କାରଣରୁ ବାଧ୍ୟ ହୋଇ ପ୍ରବନ୍ଧକଙ୍କୁ ଏହା ଉପରେ ବିଚାର କରିବାକୁ ପଡିଛି। ସେ ଫ୍ଲପ୍ ହେଉଥିବାରୁ ବିରାଟ କୋହଲି ଓ ଆଜିଙ୍କ୍ୟଙ୍କ ଉପରେ ଚାପ ବଢିବାରେ ଲାଗିଛି।

ଇନସାଇଡ୍‌  ସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, ଭାରତୀୟ ପ୍ରବନ୍ଧକ ପୂଜାରାଙ୍କ ସ୍ଥାନରେ କେଏଲ ରାହୁଲ କିମ୍ବା ହନୁମା ବିହାରୀଙ୍କୁକ ସାମିଲ୍ କରିବା ଉପରେ ବିଚାର କରୁଛନ୍ତି। ଏହା ବ୍ୟତୀତ କୋହଲିଙ୍କୁ ବ୍ୟାଟିଂ କ୍ରମରେ ନମ୍ବର ୩ରେ ଖେଳା ଯାଇପାରେ। ଏ ପର୍ଯ୍ୟନ୍ତ କୋହଲି ଟେଷ୍ଟରେ ଚତୁର୍ଥ କ୍ରମରେ ବ୍ୟାଟିଂ କରୁଛନ୍ତି।

ପୂଜାରା ଭାରତୀୟ ଟେଷ୍ଟ ଦଳରେ ଜଣେ ମହତ୍ଵପୂର୍ଣ୍ଣ ଖେଳାଳି। ମାତ୍ର ଡବ୍ଲ୍ୟୁଟିସିରେ ତାଙ୍କର କ୍ରମାଗତ ନିରାଶଜନକ ପ୍ରଦର୍ଶନ ପରେ ତାଙ୍କୁ ବାହାରେ ବସାଇବା ଉପରେ ଦଳ ପ୍ରବନ୍ଧକ ବିଚାର କରୁଛନ୍ତି। ୨୦୨୦ ଜାନୁଆରୀ ପରଠୁ ପୂଜାରାଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୩୦.୨୦ ରହିଛି। ତାଙ୍କର ସର୍ବାଧିକ ସ୍କୋର ୭୭ ରନ ଯାହା ସିଡନୀ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ।

ପୂଜାରା ନିଜର ଗତ ୩୦ ଇନିଂସରେ ଗୋଟିଏ ହେଲେ ଶତକ ହାସଲ କରି ପାରି ନାହାନ୍ତି। ୨୦୨୦ ଜାନୁଆରୀଠୁ ପୂଜାରାଙ୍କ ବ୍ୟାଟିଂ ହାର ମାତ୍ର ୨୬.୩୫ ରହିଛି। ତାଙ୍କର ଅତ୍ୟଧିକ ରକ୍ଷାତ୍ମକ ଖେଳ ବିରୋଧୀଙ୍କୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଉଛି। ନିଜର ଶେଷ ଶତକ ପରେ ସେ ନଅ ଥର ଏକ ଅଙ୍କ ବିଶିଷ୍ଟ ରନ କରିଛନ୍ତି। ତେଣୁ ଭାରତୀୟ ଦଳ ଏବେ ନିଜର ବେଞ୍ଚରେ ଥିବା ଅନ୍ୟ ଖେଳାଳିଙ୍କୁ ଉପଯୋଗ କରିପାରେ। ଦଳ ପାଖରେ ଦୁଇ ସକ୍ଷମ ବ୍ୟାଟସମ୍ୟାନ କେଏଲ ରାହୁଲ ଓ ହନୁମା ବିହାରୀ ମଧ୍ୟ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.