ଭାରତୀୟ ଦଳକୁ ଛାଡୁନି ଆହତ ସମସ୍ୟା: ନବଦୀପ ସାଇନିଙ୍କୁ ସ୍କାନ ପାଇଁ ନିଆଗଲା ହସ୍ପିଟାଲ
15/01/2021 at 3:56 PM

ବ୍ରିସବେନ ୧୫।୦୧: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍ ଖେଳୁଥିବା ଭାରତୀୟ କ୍ରିକେଟ୍ ଦଳରେ ଆହତ ସମସ୍ୟା ଥମିବାର ନାଁ ନେଉ ନାହିଁ। ଦଳ ସମସ୍ତ ପ୍ରମୁଖ ବୋଲର ଆହତ ହୋଇ ସିରିଜ୍ରୁ ବାଦ୍ ପଡି ସାରିଛନ୍ତି। ଆଜିଠୁ ବ୍ରିସବେନ୍ରେ ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଆରମ୍ଭ ହୋଇ ଯାଇଛି। ହେଲେ ଏହି ମ୍ୟାଚ୍ରେ ଭାରତ ନବାଗତ ଏବଂ ଅନଭିଜ୍ଞ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇଛି। ହେଲେ ଖେଳର ପ୍ରଥମ ଦିନରେ ଭାରତୀୟ ଦଳକୁ ଝଟକା ଲାଗିଛି। ଦ୍ରୁତ ବୋଲର ନବଦୀପ ସାଇନି ଆହତ ହେବାରୁ ତାଙ୍କୁ ପଡିଆ ଛାଡି ବାହାରକୁ ଯିବାକୁ ପଡିଛି। ସାଇନିଙ୍କୁ ବୋଲିଂ ସମୟରେ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା। ଖବର ମିଳିଛି ଯେ ସାଇନିଙ୍କୁ ହସ୍ପିଟାଲ ନିଆଯାଇଛି। ସେଠାରେ ତାଙ୍କ ସ୍କାନ କରାଯାଇଛି।
ନିଜର ଦ୍ଵିତୀୟ ଟେଷ୍ଟ ଖେଳୁଥିବା ସାଇନି ଇନିଂସର ୩୬ତମ ଓଭରର ପଞ୍ଚମ ବଲ୍ ଫିଙ୍ଗିବା ପରେ ଆହତ ହୋଇଥିଲେ। ସାଇନଙ୍କ ଗ୍ରୋଇନ୍ରେ ଯନ୍ତ୍ରଣା ହେଉଛି ଏବଂ ସେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି। ସାଇନିଙ୍କ ଓଭରର ଅନ୍ତିମ ବଲ୍ ରୋହିତ ଶର୍ମା ପୂରା କରିଥିଲେ। ବିସିସିଆଇ ନିଜର ବୟାନରେ କହିଛି ଯେ, ନବଦୀପ ସାଇନିଙ୍କ ଗ୍ରୋଇନରେ ଯନ୍ତ୍ରଣା ରହିଛି। ସେ ଏବେ ବିସିସିଆଇର ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି। ନବଦୀପଙ୍କୁ ସ୍କାନ ପାଇଁ ହସ୍ପିଟାଲ ନିଆଯାଇଛି।
UPDATE – Navdeep Saini has now gone for scans.#AUSvIND https://t.co/pN01PVnFfx
— BCCI (@BCCI) January 15, 2021
ଆଘାତଜନିତ ସମସ୍ୟା କାରଣରୁ ବ୍ରିସବେନ ଟେଷ୍ଟରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନ ଓ ହନୁମା ବିହାରୀ ଖେଳୁ ନାହାନ୍ତି। ତାଙ୍କ ସ୍ଥାନରେ ଟି. ନଟରାଜନ ଓ ଓ୍ଵାଶିଂଟନ ସୁନ୍ଦରଙ୍କୁ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ମିଳିଛି। ସେହିପରି ଶାର୍ଦ୍ଦୁଳ ଠାକୁର ଓ ମୟଙ୍କ ଅଗ୍ରଓ୍ଵାଲଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି।
ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ରେ ୨୭୪ ରନ କରିଛି। ମାର୍ନସ ଲାବୁସେନ ସର୍ବାଧିକ ୧୦୮ ରନ କରିଥିବା ବେଳେ ମାଥ୍ୟୁ ଓ୍ଵାଦେ ୪୫ ରନ କରିଛନ୍ତି। ଅଧିନାୟକ ଟିମ ପେନ ୩୮ ଏବଂ କ୍ୟାମରନ ଗ୍ରୀନ ୨୮ ରନ କରି କ୍ରିଜରେ ଖେଳୁଛନ୍ତି।