ସାମ୍ନାକୁ ଆସିଲା କରୋନାର ନୂତନ ଭାରିଏଣ୍ଟ, ସଙ୍କଟରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨ ୬।୧୧: ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ଉପରେ ଛାଇ ଯାଇଛି ସଙ୍କଟର ବାଦଲ। ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ନୂତନ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଦୁନିଆର ଅନେକ ଦେଶ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ କଟକଣା ଲଗାଇବା ଉପରେ ବିଚାର କରୁଛନ୍ତି।  ଭାରତୀୟ ଏ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଭାରତୀୟ ଦଳ ଡିସେମ୍ବର ଦ୍ଵିତୀୟ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତରେ ଦଳ ତିନି ମ୍ୟାଚର ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୭ରେ ଜୋହାନ୍ସବର୍ଗରେ ଖେଳାଯିବ। ବର୍ତ୍ତମାନ ନେଦରଲାଣ୍ଡ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ନେଦରଲାଣ୍ଡ କ୍ରିକେଟ୍ ଦଳ ପ୍ରବନ୍ଧକ ଦକ୍ଷିଣ ଆଫ୍ରିକାର ଅଧିକାରୀଙ୍କୁ  ଭେଟି ଏହା ଉପରେ ନିଷ୍ପତ୍ତି ନେବେ ଯେ, ସିରିଜର ଦ୍ଵିତୀୟ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ହୋଇ ପାରିବ କି ନାହିଁ। ଦକ୍ଷିଣ ଆଫ୍ରିକାରେ ଚଳିତ ସପ୍ତାହରେ କରୋନା ଭାଇରସ୍‌ର ନୂତନ  ଭାରିଏଣ୍ଟ ସାମ୍ନାକୁ ଆସିଛି।

ଦକ୍ଷିଣ ଆଫ୍ରିକା ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ୟୁକେ କଟକଣା ଲଗାଇବାକୁ ଯାଉଛି। ସେହି ପରି ଅନେକ ଦେଶ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ମଧ୍ୟ କଟକଣା ଲଗାଇବାର ଆଶା କରାଯାଉଛି। ନୂତନ ଭାରିଏଣ୍ଟ ସହଜରେ ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏହା ଡେଲ୍‌ଟାଠୁ ଅଧିକ ବିପଦଜ୍ଜନକ କି ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.