ଓଭାଲ୍ ଟେଷ୍ଟରେ ପରାଜୟରୁ ବର୍ତ୍ତିବା ଲାଗି ଆଜି ସଂଘର୍ଷ କରିବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | September 11, 2018 IST

ଓଭାଲ୍ ଟେଷ୍ଟରେ ପରାଜୟରୁ ବର୍ତ୍ତିବା ଲାଗି ଆଜି ସଂଘର୍ଷ କରିବ ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟରେ ଭାରତ ଆଗରେ ବଡ ଚାଲେଞ୍ଜ । ୪୬୪ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଦଳ ଗତକାଲି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ତିନି ୱିକେଟ୍ ହରାଇ ୫୮ ରନ୍ କରିଛି । ଓପନର୍ ଲୋକେଶ ରାହୁଲ ୪୬ ଏବଂ ଆଜିଙ୍କ୍ୟ ରାହାଣେ ୧୦ ରନ୍ କରି ଅପରାଜିତ ଅଛନ୍ତି। ଭାରତର ଅନ୍ୟତମ ଓପନ୍ ଶିଖର ଧାୱନ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ଚେତେଶ୍ୱର ପୂଜାରା ଖାତା ଖୋଲିପାରି ନଥିଲେ। ସିରିଜରେ ନିଜ ବ୍ୟାଟିଂର ଯାଦୁ ଦେଖାଇ ଆସିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିପାରି ନଥିଲେ। ପ୍ରଥମ ବଲରେ ହିଁ ଷ୍ଟ୍ରୁଆର୍ଟ ବୋର୍ଡ ତାଙ୍କୁ ପ୍ୟାଭିଲିୟନ୍ ର ରାସ୍ତା ଦେଖାଇ ଦେଇଥିଲେ। ଜେମ୍ସ ଆଣ୍ଡରସନ୍ ଧାୱନ ଏବଂ ପୂଜାରାଙ୍କୁ ଆଉଟ୍ କରି ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍ କୁ ଝଟକା ଦେଇଥିଲେ । ସେପଟେ ଆଲିଷ୍ଟର କୁକ୍ ଏବଂ ଅଧିନାୟକ ଜୋ ରୁଟ୍ ଙ୍କ ଶତକ ବଳରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୪୨୩ କରି ଦ୍ୱିତୀୟ ପାଳି ଘୋଷଣା କରିଥିଲା। ୫ଟିକିଆ ସିରିଜ୍ ରେ ୧-୩ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ଏବେ ଓଭାଲ୍ ଟେଷ୍ଟ୍ କୁ ଡ୍ର ରଖିବାକୁ ସଂଘର୍ଷ କରୁଛି। ସେହିପରି ଇଂଲିଶ ଟିମ୍ ର ଓପନର୍ ଆଲିଷ୍ଟର୍ କୁକ୍ ଙ୍କୁ ବିଦାୟୀ ମ୍ୟାଚ୍ ରେ ବିଜୟ ଭେଟି ଦେବାକୁ ଇଂଲଣ୍ଡ ଟିମ୍ ପୂରା ଦମ୍ ଲଗାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.