IND vs ENG : ଟେଷ୍ଟ ସିରିଜ୍ ପାଇଁ ଫେବୃଆରୀ ୨ରୁ ଅଭ୍ୟାସ୍ ଆରମ୍ଭ କରିବ ଭାରତ, ୨୩ରେ ଚେନ୍ନାଇ ଯିବେ ଏହି ଖେଳାଳି
21/01/2021 at 7:41 PM

ନୂଆଦିଲ୍ଲୀ ୨୧।୦୧: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତି ଭାରତୀୟ କ୍ରିକେଟ୍ ଦଳ ସ୍ଵଦେଶ ଫେରିଛି। ଟିମ୍ର ଖେଳାଳି ଓ କର୍ମଚାରୀ ଭାରତ ଫେରିବା ପରେ ନିଜ ନିଜ ଘରକୁ ଯାଇଛନ୍ତି। ଏବେ ସମସ୍ତେ ଜାନୁଆରୀ ୨୬ରେ ଚେନ୍ନାଇରେ ଏକତ୍ର ହେବେ। ଏଠାରେ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଫେବୃଆରୀ ୨ରୁ ଅଭ୍ୟାସ୍ ଆରମ୍ଭ କରିବେ। ଓ୍ଵେବ୍ସାଇଟ୍ କ୍ରିକ୍ବଜ୍ ଅନୁଯାୟୀ, ଯେଉଁ ଖେଳାଳି ଅଷ୍ଟ୍ରେଲିଆରେ ହୋଇଥିବା ଟେଷ୍ଟ ସିରିଜ୍ର ସଦସ୍ୟ ନଥିଲେ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳରେ ଚୟନ ହୋଇଛନ୍ତି ସେମାନେ ଜାନୁଆରୀ ୨୩ରେ ଚେନ୍ନାଇ ପହଞ୍ଚିବେ। ଏଥିରେ ନେଟ୍ ବୋଲର ଓ ଷ୍ଟାଣ୍ଡବାଇ ଖେଳାଳି ସାମିଲ।
ଇଂଲଣ୍ଡ ଦଳ ବ୍ୟତୀତ ଚେନ୍ନାଇ ପହଞ୍ଚିବା ପରେ ଭାରତୀୟ ଖେଳାଳିଙ୍କୁ ମଧ୍ୟ ସାତ ଦିନିଆ ଜୈବ ନିରାପତ୍ତା ବଳୟରେ ରହିବାକୁ ପଡିବ। ସିରିଜ୍ ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୨୬ରେ ପହଞ୍ଚିବା ପରେ ଭାରତୀୟ ଖେଳାଳି ଫେବୃଆରୀ ୧ରେ ବାୟୋ ବବୁଲ ଅବଧି ପୂରା କରି ନେବେ।
ତାମିଲନାଡୁ କ୍ରିକେଟ୍ ସଂଘର ଅଧିକାରୀଙ୍କ ଅନୁଯାୟୀ, ଚେପକ ଷ୍ଟାଡିୟମ ନିକଟ ସ୍ଥିତ ଏକ ହୋଟେଲ୍ରେ ଦୁଇ ଦଳର ଖେଳାଳିଙ୍କ ପାଇଁ ବୁକ୍ କରାଯାଇଛି। ବାୟୋ ବବଲ ଅବଧି ପୂରା କରିବା ପରେ ଖେଳାଳିଙ୍କୁ ଫେବୃଆରୀ ୨ରୁ ଅଭ୍ୟାସ୍ କରିବାକୁ ଅନୁମତି ମିଳିବ।
ଇଂଲଣ୍ଡ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଜୋ ରୁଟଙ୍କ ଦ୍ଵିଶତକ ବଳରେ ଇଂଲଣ୍ଡ ଘରୋଇ ଶ୍ରୀଲଙ୍କାକୁ ସାତ ଓ୍ଵିକେଟ୍ରେ ପରାସ୍ତ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୫ରେ ଚେନ୍ନାଇରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୧୩ରୁ ଆରମ୍ଭ ହେବ। ଏହା ପରେ ଅହମ୍ମଦାବାଦର ନୂତନ ମୋଟେରା ଷ୍ଟାଡିୟମରେ ଫେବୃଆରୀ ୨୪ରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ମାର୍ଚ୍ଚ ୪ରୁ ଏହି ପଡିଆରେ ସିରିଜ୍ର ଶେଷ ମ୍ୟାଚ୍ ଆୟୋଜନ ହେବ। ଟେଷ୍ଟ ସିରିଜ୍ ପରେ ମାର୍ଚ୍ଚ ୧୨ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଶେଷରେ ମାର୍ଚ୍ଚ ୨୩ ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ।
ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା, ଶୁବମାନ ଗିଲ୍, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଆର ଅଶ୍ଵିନ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ।