ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ, ଯିବେ ନାହିଁ ବିରାଟ କୋହଲି ଓ ରୋହିତ ଶର୍ମା, ଏହି ଖେଳାଳିଙ୍କ ଉପରେ ରହିବ ଗୁରୁ ଦାୟିତ୍ଵ !

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୦୯।୦୫: ଜୁଲାଇ ମାସରେ ଭାରତୀୟ ଦଳ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତ କରିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହାର ସୂଚନା ଦେଇଛନ୍ତି। ଭାରତୀୟ ଦଳ ଏହି ଗସ୍ତରେ ତିନୋଟି ଦିନିକିଆ ଓ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ।

ଗାଙ୍ଗୁଲି କହିଛନ୍ତି, ଏହି ଗସ୍ତରେ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ଖେଳାଳି ସାମିଲ ହେବେ ନାହିଁ। କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ପାଇଁ ଇଂଲଣ୍ଡ ଗସ୍ତ କରିବେ। ଏହା ପରେ ଦଳ ଅଗଷ୍ଟ ୪ରୁ ଇଂଲଣ୍ଡ ବିରୋଧରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ।

ପିଟିଆଇ ସହ ଆଲୋଚନା ବେଳେ ସୌରଭ ଗାଙ୍ଗୁଲି କହିଛନ୍ତି, ଜୁଲାଇ ମାସରେ ଭାରତର ସିନିୟର ଦଳ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତ କରିବେ। ଶ୍ରୀଲଙ୍କା ସିରିଜ୍‌ରେ ସାମିଲ ଖେଳାଳି ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ନଜର ଆସିବେ ନାହିଁ। ଯୁବ ଖେଳାଳିଙ୍କୁ ନେଇ ସଜ୍ଜିତ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଗୋଟିଏ ଦଳ ଇଂଲଣ୍ଡ ସିରିଜ୍ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟ ଭାରତୀୟ ଦଳ ଶ୍ରୀଲଙ୍କା ମାଟିରେ ଘରୋଇ ଦଳ ବିପକ୍ଷରେ ସୀମିତ ଓଭର କ୍ରିକେଟ୍ ଖେଳିବେ।

ଏମିତିରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ପୃଥ୍ଵୀ ସ ପରି ଖେଳାଳିଙ୍କୁ ନିଜ ପ୍ରଦର୍ଶନ ଦେଖାଇବାର ସୁଯୋଗ ମିଳିବ। ସେହି ପରି ଟେଷ୍ଟ ଦଳରେ ଚୟନ ହୋଇନଥିବା ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ଵର କୁମାର, ଶିଖର ଧାଓ୍ଵନ ଏହି ସିରିଜ୍‌ରେ ଖେଳି ପାରନ୍ତି। ଏହି ଅନୁଭବୀ ଖେଳାଳି ଏବଂ ଯୁବ ଖେଳାଳିଙ୍କ ସମିଶ୍ରଣରେ ଯୁବ ଭାରତୀୟ ଦଳ ଶ୍ରୀଲଙ୍କାର ମୁକାବିଲା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.