ବିଶ୍ବରେ ଆତଙ୍କ ଖେଳାଇଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ, ବାତିଲ ହେବ କି ଟିମ୍ ଇଣ୍ଡିଆର ଗସ୍ତ ? ସ୍ପଷ୍ଟୀକରଣ ରଖିଲେ ଦକ୍ଷିଣ ଆଫ୍ରିକା ସରକାର

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦/୧୧ : ସମଗ୍ର ବିଶ୍ବରେ ଏବେ କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟକୁ ନେଇ ଆତଙ୍କ ଖେଳିଯାଇଛି । ଦକ୍ଷିଣ ଆଫ୍ରିକାରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଓମିକ୍ରନ୍‌ ଭାଇରସ ଏବେ ଚିନ୍ତାର କାରଣ ପାଲଟିଛି । ଏହି ଦେଶରୁ ବିଶ୍ବର ଅନ୍ୟ ଦେଶମାନଙ୍କୁ ମଧ୍ୟ ବ୍ୟାପିଗଲାଣି ଓମିକ୍ରନ୍‌ ଭ୍ୟାରିଆଣ୍ଟ ସଂକ୍ରମଣ । ଏହାରି ମଧ୍ୟରେ କ୍ରିକେଟ ଉପରେ ମଧ୍ୟ ପ୍ରଭାବ ପଡିବାକୁ ଯାଉଛି । ଭାରତୀୟ ଦଳ ଆସନ୍ତା ଡିସେମ୍ବର ୧୭ ତାରିଖାରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଅଛି । କିନ୍ତୁ ଏବେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ଆଶଙ୍କା ଦେଖାଦେଇଛି ।

ଏ ନେଇ ଦକ୍ଷିଣ ଆଫ୍ରିକାର ବିଦେଶ ମନ୍ତ୍ରାଳୟ ବୟାନ ରଖିଛି । ମନ୍ତ୍ରାଳୟ ପକ୍ଷରୁ କ୍ରିକେଟ ସିରିଜ୍‌ ଖେଳାଯିବାକୁ ନେଇ ଗ୍ରୀନ୍ ସିଗନାଲ ମିଳିଛି । ଏହା ସହିତ ଉଭୟ ଟିମ ପାଇଁ ସୁରକ୍ଷିତ ମାହୋଲ ତିଆରି କରାଯିବ ବୋଲି କୁହାଯାଇଛି । ଉଭୟ ଟିମର ଖେଲାଳିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥା କରାଯିବ ।

ବର୍ତ୍ତମାନ ଇଣ୍ଡିଆ-ଏ ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ସେଠାରେ ମଙ୍ଗଳବାର ଉଭୟ ଟିମ ମଧ୍ୟରେ ଦ୍ବିତୀୟ ମ୍ୟାଚ ଆରମ୍ଭ ହେଉଛି । ଏଭଳି ପରିସ୍ଥିତିରେ ମଧ୍ୟ ବିସିସିଆଇ ତାର ଖେଳାଳୀମାନଙ୍କୁ ଦକ୍ଷିଣ ଆଫ୍ରିକାରେ ରଖି ଖେଳ ଜାରି ରଖିଥିବାରୁ ଧନ୍ୟବାଦ ଜଣାଇଛି ଦକ୍ଷିଣ ଆଫ୍ରିକା ବିଦେଶ ମନ୍ତ୍ରାଳୟ ।

ସୂଚନାଯୋଗ୍ୟ, ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ଆସନ୍ତା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେଉଛି । ଏହି ଗସ୍ତରେ ୩ଟି ଟେଷ୍ଟ ମ୍ୟାଚ, ୩ ଦିନିକିଆ ଏବଂ ୪ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ ଭାରତ । ଭାରତୀୟ ଦଳକୁ ଡିସେମ୍ବର ୮ ତାରିଖ ସୁଦ୍ଧା ଭାରତ ଛାଡିବାକୁ ହେବ । କାରଣ ସେଠାରେ ୭ଦିନିଆ କ୍ବାରେଣ୍ଟାଇନରେ ରହିବେ ଖେଳାଳି ।

ତେବେ କଥା ହେଉଛି ସାଉଥ ଆଫ୍ରିକାର ବିଭିନ୍ନ ପ୍ରାନ୍ତରେ କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହି ସିରିଜ୍‌ ହେବ କି ନାହିଁ ସେ ନେଇ ସସ୍‌ପେନ୍ସ ଲାଗିରହିଥିଲା । ଭାରତ ସରକାର ମଧ୍ୟ ଏହି ଗସ୍ତକୁ ନେଇ ବିସିସିଆଇ ସହ ବିଚାର ବିମର୍ଷ ଜାରି ରଖିଛନ୍ତି । ଦକ୍ଷିଣ ଆଫ୍ରିକା ବିଦେଶ ମନ୍ତ୍ରାଳୟ କହିଛି ଯେ, ଭାରତୀୟ ଖେଳାଳି ଏବଂ ସହଯୋଗୀ ସଦସ୍ୟଙ୍କ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ତିଆରି କରାଯିବ । ଭାରତୀୟ ଟିମ ସାଉଥ ଆଫ୍ରିକାରେ ପହଞ୍ଚିବା କ୍ଷଣି ସମ୍ପୂର୍ଣ୍ଣ ବାୟୋ ବବଲ ମଧ୍ୟରେ ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.