ବ୍ରିସବେନ ଟେଷ୍ଟରେ ଏହି ୧୧ ଖେଳାଳିଙ୍କ ସହ ପଡିଆକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ, ଖେଳି ପାରନ୍ତି ପନ୍ତ-ଶାହା !

Published By : Prameya-News7 Bureau | January 14, 2021 IST

ବ୍ରିସବେନ ୧୪।୦୧: ଆଡିଲେଡ୍ ଟେଷ୍ଟ ଅଷ୍ଟ୍ରେଲିଆ ଜିତିବା ପରେ ମେଲବୋର୍ଣ୍ଣ ଟେଷ୍ଟ ଜିତି ଭାରତୀୟ କ୍ରିକେଟ୍ ଦଳ ସିରିଜ୍‌ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଏହା ପରେ ସଂଘର୍ଷପୂର୍ଣ୍ଣ ସିଡନୀ ଟେଷ୍ଟ ଡ୍ର ରହିବା ପରେ ଏବେ ବ୍ରିସବେନରେ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି। ଆସନ୍ତାକାଲିଠୁ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଚତୁର୍ଥ ତଥା ଅନ୍ତିମ ମୁକାବିଲା ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରି ସାରିଛି। ଆହତ ପୁକୋଭକ୍ସିଙ୍କ ସ୍ଥାନରେ ମାର୍କ ହାରିସ୍‌ଙ୍କକୁ ଦଳରେ ସୁଯୋଗ ମିଳିଛି। ହେଲେ ଏ ପର୍ଯ୍ୟନ୍ତ ଭାରତୀୟ ଦଳ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରି ନାହିଁ। ଏହାର କାରଣ ଦଳର ଏକାଧିକ ଖେଳାଳି ଆହତ ହେବା। ଏବେ ମ୍ୟାଚ୍‌ ପୂର୍ବରୁ ଦଳ ପଡିଆକୁ ଓହ୍ଲାଇବ। ଦଳ ଏହି ୧୧ ଜଣ ଖେଳାଳିଙ୍କକୁ ନେଇ ଶେଷ ମ୍ୟାଚ୍‌ରେ ସୁଯୋଗ ଦେଇ ପାରେ।

ଭାରତ ଶୀର୍ଷ କ୍ରମର ବ୍ୟାଟସମ୍ୟାନ ସଂପୂର୍ଣ୍ଣ ଫିଟ୍ ଅଛନ୍ତି, ଯାହା ଦଳ ପାଇଁ ବଡ ଆଶ୍ଵସ୍ତିକର ବିଷୟ। ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଓପନିଂ କରିବେ ଓ ନମ୍ବର ୩ରେ ଚେତେଶ୍ଵର ପୂଜାର ଦଳର ବ୍ୟାଟିଂ ସମ୍ଭାଳିବେ।  ଅଧିନାୟକ ଆଜିଙ୍କ୍ୟ ରାହାଣେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବେ। ଏହା ପରେ ମଧ୍ୟକ୍ରମରେ କହୁଣୀ  ଆଘାତରୁ ମୁକୁଳି ସାରିଥିବା ଋଷଭ ପନ୍ତ ପଞ୍ଚମ ଅର୍ଡରରେ ବ୍ୟାଟିଂ କରି ପାରନ୍ତି। ଏବେ ହନୁମା ବିହାରୀଙ୍କ ସ୍ଥାନରେ କିଏ ଖେଳିବ ତାହା ଦେଖିବା ବାକି ରହିଲା। ଖବର ଅନୁଯାୟୀ ଅଭ୍ୟାସ ସମୟରେ ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ଆହତ ହୋଇଛନ୍ତି। ତେଣୁ ଓ୍ଵିକେଟ୍ କିପର ଋଦ୍ଧିମାନ ଶାହାଙ୍କୁ ଦଳରେ ସୁଯୋଗ ମିଳିପାରେ।

ସିଡନୀ ଟେଷ୍ଟରେ ଅଣ୍ଟା ଯନ୍ତ୍ରଣାରେ ପୀଡିତ ଥିବା ଅଶ୍ଵିନ ବ୍ରିସବେନ ଟେଷ୍ଟରେ ପଡିଆକୁ ଓହ୍ଲାଇ ପାରନ୍ତି। ଏମିତିରେ ଅଶ୍ଵିନଙ୍କ ବିକଳ୍ପ ଭାବେ ଓ୍ଵାଶିଂଟନ ସୁନ୍ଦରଙ୍କୁ ରଖାଯାଇଛି। ଜାଡେଜାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ବ୍ରିସବେନରେ କୁଲଦୀପ ଯାଦବଙ୍କୁ ବହୁତ ଝାଳ ବୁହାଇଥିବା ଦେଖିବାକୁ ମିଳିଛି। ଯଶପ୍ରୀତ ବୁମରାଙ୍କ ଫିଟନେସ୍ ଉପରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ।  ରାଠୋର ଭର୍ଚୁଆଲ କନଫରେନ୍ସରେ କହିଛନ୍ତି, ଡାକ୍ତରୀ ଦଳ ବୁମରାଙ୍କ ସହ ମିଶି କାମ କରୁଛନ୍ତି। ଆମେ କାଲି ସକାଳେ ଦେଖିବୁ ଯେ, ବୁମରା ଚତୁର୍ଥ ଟେଷ୍ଟ ପୂର୍ବରୁ ଫିଟ୍ ଅଛନ୍ତି କି ନାହିଁ। ଯଦି ସେ ଖେଳିବା ପାଇଁ ଫିଟ୍ ହେବେ ତେବେ ଖେଳିବେ। ଯଦି ବୁମରା ନଖେଳନ୍ତି ତେବେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସୁଯୋଗ ମିଳିପାରେ। ନବଦୀପ ସାଇନି ଓ ମହମ୍ମଦ ସିରାଜ ବ୍ରିସବେନରେ ଦ୍ରୁତ ବୋଲିଂ ଆକ୍ରମଣ ସମ୍ଭାଳିବେ।

ଏମିତି ରହିପାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ(ଅଧିନାୟକ), ଋଷଭ ପନ୍ତ, ମୟଙ୍ଗ ଅଗ୍ରଓ୍ଵାଲ/ଋଦ୍ଧିମାନ ଶାହା, ଆର ଅଶ୍ଵିନ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା/ଶାର୍ଦ୍ଦୁଳ ଠାକୁର/ଟି ନଟରାଜନ, ନବଦୀପ ସାଇନି, ମହମ୍ମଦ ସିରାଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.