ପିଙ୍କ୍ ବଲ୍ ଟେଷ୍ଟରେ କ’ଣ ରହିଛି ଟିମ୍ ଇଣ୍ଡିଆର ରେକର୍ଡ ? କିଏ ହେଉଛନ୍ତି ସବୁଠାରୁ ସଫଳ ବ୍ୟାଟସମ୍ୟାନ୍ ଓ ବୋଲର ?
23/02/2021 at 10:56 AM

ନୂଆଦିଲ୍ଲୀ,୨୩/୨ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଫେବ୍ରୁଆରୀ ୨୪ରୁ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ମୋଟେରା ଷ୍ଟାଡିୟମରେ ଖେଳାଯିବ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ଏହି ମ୍ୟାଚ୍ ଦିବାରାତ୍ର ହେବ । ଅର୍ଥାତ ଭାରତୀୟ ଦଳର ଏହା ତୃତୀୟ ଡେ ନାଇଟ୍ ଟେଷ୍ଟ ହେବ ।
ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଏବେସୁଦ୍ଧା ୩ଟି ଦିବାରାତ୍ର ମ୍ୟାଚ୍ ଖେଳିଛି । ପ୍ରଥମ ମ୍ୟାଚ୍ ୨୦୧୯ରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ୪୬ ରନରେ ବିଜୟୀ ହୋଇଥିଲେ ।
ଏହାପରେ ଭାରତ ଅଷ୍ଟ୍ରେଲିଆର ଆଡିଲେଡରେ ଦ୍ୱିତୀୟ ଦିବାରାତ୍ର ଟେଷ୍ଟ ଖେଳିଥିଲା । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହା ଭାରତର ଟେଷ୍ଟ ମ୍ୟାଚରେ ସର୍ବନିମ୍ନ ସ୍କୋର ।
ଦିବାରାତ୍ର ମ୍ୟାଚର ରେକର୍ଡ ଦେଖିଲେ ଭାରତର ପ୍ରଦର୍ଶନ ୫୦-୫୦ ରହିଛି । ଦଳ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଛି । କିନ୍ତୁ ଘରୋଇ ମାଟିରେ ଦଳର ପ୍ରଦର୍ଶନ ୧୦୦ ପ୍ରତିଶତ ରହିଛି । ଦଳ ଇଂଲଣ୍ଡ ବିପକ୍ଷରେ ଏହି ପ୍ରଦର୍ଶନ ଦୋହରାଇ ପାରୁଛି ନା ନାହିଁ ତାହା ମ୍ୟାଚ୍ ପରେ ଦେଖିବାକୁ ମିଳିବ ।

ଦିବାରାତ୍ର ଟେଷ୍ଟରେ ସବୁଠାରୁ ସଫଳ ବ୍ୟାଟସମ୍ୟାନ ହେଲେ ବିରାଟ କୋହଲି । ସେ ବାଂଲାଦେଶ ବିପକ୍ଷରେ ଶତକ ଅର୍ଜନ କରିଥିଲେ । ଆଡିଲେଡର ପ୍ରଥମ ପାଳିରେ ସେ ୭୪ ରନ୍ କରିଥିଲେ । ଦ୍ୱିତୀୟ ପାଳିରେ ମାତ୍ର ୪ ରନ୍ କରି ଆଉଟ ହୋଇଥିଲେ । ସେ ୨ଟି ଦିବାରାତ୍ର ଟେଷ୍ଟରେ ୨୧୪ ରନ୍ କରିଛନ୍ତି ।
ସେହିପରି ବୋଲରଙ୍କ କଥା ଦେଖିଲେ ଇଶାନ୍ତ ଶର୍ମା ଓ ଉମେଶ ଯାଦବ ବାଂଲାଦେଶ ବିପକ୍ଷରେ ଗୋଟିଏ ପାଳିରେ ୫ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଏପରିଭାବେ ଇଶାନ୍ତ ମୋଟ ୯ଟି ଓ ଉମେଶ ୧୧ଟି ଓ୍ୱିକେଟ୍ ନେଇଛନ୍ତି । ଇଂଲଣ୍ଡ ବିପକ୍ଷ ମୁକାବିଲା ଅଧିକ ରୋମାଞ୍ଚପୂର୍ଣ୍ଣ ହେବ ବୋଲି କୁହାଯାଉଛି ।