ଟିମ୍ ଇଣ୍ଡିଆ ପାସ୍ କଲା ପ୍ରଥମ କରୋନା ଟେଷ୍ଟ୍, ପରିବାର ସଦସ୍ୟଙ୍କୁ ପାଖରେ ରଖିପାରିବେ ଖେଳାଳି

Published By : Prameya-News7 Bureau | January 29, 2021 IST

ଚେନ୍ନାଇ,୨୯/୦୧:  ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ ଖେଳାଯିବ । ଫେବ୍ରୁଆରୀ ୫ରୁ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିବେ ଉଭୟ ଦଳ । ଏହାପୂର୍ବରୁ ଗୁରୁବାର ଭାରତୀୟ କ୍ରିକେଟରଙ୍କ ଆରଟି ପିସିଆର ଟେଷ୍ଟ୍ ହୋଇଥିଲା । ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି ।

ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଖେଳିବା ପୂର୍ବରୁ ଫେବ୍ରୁଆରୀ ୨ରୁ ଅଭ୍ୟାସ କରିବ । ଏହାପୂର୍ବରୁ ଆଉ ୨ଥର ଟେଷ୍ଟ୍ ହେବ । ଭାରତୀୟ ଦଳ ଚେନ୍ନାଇରେ ପହଁଚି ସାରିଛି । ଉଭୟ ଦଳ ଲୀଳା ପ୍ୟାଲେସ ହୋଟେଲରେ ରହିଛନ୍ତି । ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ, ଓପନର ରୋହିତ ଶର୍ମା, ଓ୍ୱିକେଟ କିପର ରିଦ୍ଧିମାନ ଶାହ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପରିବାର ସହ ଚେନ୍ନାଇରେ ପହଁଚିଥିଲେ ।

ବିସିସିଆଇର ଜଣେ ଅଧିକାରୀଙ୍କ କହିବାନୁସାରେ, ଏସଓପି ଆଇପିଏଲର ବାୟୋ ବବଲ୍ ଭଳି । ଖେଳାଳିଙ୍କର ଗୋଟିଏ ଆରଟି ପିସିଆର ଟେଷ୍ଟ ହୋଇଛି । ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ଆଉ ୨ ଥର ଟେଷ୍ଟ ହେବ । ଏବେ ଖେଳାଳି ନିଜ କୋଠରୀରେ ରହିବେ ।

ଖେଳାଳିମାନେ ନିକ୍ ଓ୍ୱେବ୍ ଓ ମୋହମ ଦେଶାଇଙ୍କ ଦେଖାରଖାରେ ବ୍ୟାୟାମ କରିବେ । ଏହାସହ ବିସିସିଆଇ ମଧ୍ୟ ପରିବାର ସହ ରହିବାକୁ ଖେଳାଳିଙ୍କୁ ଅନୁମତି ଦେଇଛି । କାରଣ ଆଇସୋଲେସନ ବେଳେ ଖେଳାଳିମାନେ ଏକଲା ଅନୁଭବ କରୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.