ଭାରତୀୟ ଦଳକୁ ଜାନୁଆରୀରେ ମିଳିପାରେ ଆଉ ଏକ ନୂତନ ଅଧିନାୟକ, ବିସିସିଆଇର ପ୍ରସ୍ତୁତି ଜୋର

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨।୧୧:  ରୋହିତ ଶର୍ମାଙ୍କୁ ଭାରତୀୟ ଟି-୨୦ ଦଳର ନୂତନ ଅଧିନାୟକ କରାଯାଇଛି। ବିରାଟ କୋହଲି  ଟି-୨୦ ବିଶ୍ଵ କପ୍ ପରେ ଟି-୨୦ ଦଳରୁ ଅଧିନାୟକ ପଦ ଛାଡି ସାରିଛନ୍ତି। ନଭେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ରୋହିତ ଶର୍ମା ଦଳର ନେତୃତ୍ଵ ନେବେ। ଏହା ମଧ୍ୟରେ ଭାରତୀୟ ଦଳକୁ ଜାନୁଆରୀରେ ଦିନିକିଆ ଫର୍ମାଟ୍‌ରେ ନୂତନ ଅଧିନାୟକ ମିଳିପାରେ। ବିସିସିଆଇ ଏହି ସମ୍ବନ୍ଧରେ ଶୀଘ୍ର ବିରାଟ କୋହଲିଙ୍କ ସହ ଆଲୋଚନା କରିବାକୁ ଯାଉଛି। ବୋର୍ଡ ଚାହୁଁଛି କୋହଲି ଅଧିନାୟକ ବୋଝରୁ ମୁକ୍ତ  ହୋଇ ନିଜର ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। କୋହଲି ସଂପ୍ରତି ଖରାପ ଫର୍ମରେ ଦେଇ ଗତି କରୁଛନ୍ତି। ୨୦୧୯ ପରଠୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ହେଲେ ଶତକ ଅର୍ଜନ କରି ପାରି ନାହାନ୍ତି।

ଏନଡିଟିଭିର ଖବର ଅନୁଯାୟୀ, ଜାନୁଆରୀରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ ଖେଳିବ। ଏହି ଗସ୍ତରେ ଟି-୨୦ ସହିତ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇପାରେ। ସେହିପରି କେଏଲ ରାହୁଲଙ୍କୁ ଟି-୨୦ ପରେ ଦିନିକିଆ ଦଳର ଉପ ଅଧିନାୟକ କରାଯାଇପାରେ। ଦିନିକିଆ ସିରିଜ୍ ଜାନୁଆରୀ ୧୧ରେ ଆରମ୍ଭ ହେବ ଏବଂ ଦଳ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ସେଠାରେ ଭାରତ ତିନୋଟି ଟେଷ୍ଟ, ତିନୋଟି ଦିନିକିଆ ୪ ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବ।

ବିସିସିଆଇର ମଧ୍ୟସ୍ତ ସୂତ୍ର ଅନୁଯାୟୀ, ବୋର୍ଡ ଚାହୁଁଛି ବିରାଟ କୋହଲି ସୀମିତ ଓଭର କ୍ରିକେଟ୍‌ର ଅଧିନାୟକ  ବୋଝରୁ ମୁକ୍ତ ହୋଇ ଯାଆନ୍ତୁ ଏବଂ ନିଜର ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଯଦ୍ଵାରା ସେ ନିଜର ପୁରୁଣା ଫର୍ମ  ହାସଲ କରି ପାରିବେ। ବିସିସିଆଇ ଚାହୁଁଛି ବିରାଟ କୋହଲି କେବଳ ଟେଷ୍ଟ ଦଳର ନେତୃତ୍ଵ ନିଅନ୍ତୁ। ବିରାଟ କୋହଲିଙ୍କ ଦିନିକିଆ ରେକର୍ଡ ଉପରେ ନଜର ପକାଇଲେ ସେ ୯୫ଟି ମ୍ୟାଚ୍‌ରେ ଦଳର ନେତୃତ୍ଵ ନେଇଛନ୍ତି। ସେଥିରୁ ୬୫ଟିରେ ଦଳ ବିଜୟୀ  ହୋଇଥିବା ବେଳେ ୨୭ଟି ହାରିଛି। ଟି-୨୦ରେ ସେ ୫୦ଟି ମ୍ୟାଚ୍‌ରେ ଦଳର ନେତୃତ୍ଵ ନେଇଛନ୍ତି। ଏଥିରୁ ଦଳ ୩୦ଟି ଜିତିଥିବା ବେଳେ ୧୬ଟି ହାରିଛି। କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଟେଷ୍ଟ ଦଳ ୬୫ଟିରୁ ୩୮ ଜିତିଛି। ଏଥିସହ କୋହଲି ଟେଷ୍ଟରେ ଭାରତର ସବୁଠୁ ସଫଳତମ ଅଧିନାୟକ। ତାଙ୍କ ନେତୃତ୍ଵରେ ଭାରତ କେବଳ ୧୬ଟି ଟେଷ୍ଟ  ହାରିଛି।

ରୋହିତ ଶର୍ମାଙ୍କୁ ଟି-୨୦ ଏବଂ ଦିନିକିଆ ଅଧିନାୟକ ମିଳିବା ପରେ ତାଙ୍କୁ ଆଗାମୀ ୨ ବର୍ଷରେ ବଡ ବଡ ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ଵ ନେବାକୁ ପଡିବ। ୨୦୨୨ରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍ ହେବାକୁ ଯାଉଛି। ଭାରତୀୟ ଦଳ ୨୦୦୭ ପରଠୁ ଟି-୨୦ ବିଶ୍ଵ କପ୍ ଜିତିନାହିଁ।  ୨୦୨୧ ଟି-୨୦ ବିଶ୍ଵ କପ୍‌ରେ ଭାରତ ସେମି ଫାଇନାଲ୍‌ରେ ବି ପହଞ୍ଚି ପାରିନାହିଁ। ପୁଣି ୨୦୨୩ରେ ଭାରତରେ ଦିନିକିଆ ବିଶ୍ଵ କପ୍ ଖେଳାଯିବ। ମୋଟାମୋଟି ଭାରତ ୨୦୧୩ ପରଠୁ ଆଇସିସି ଟ୍ରଫି ଜିତିପାରିନାହିଁ। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଚାମ୍ପିଅନ କରାଇଥିବା ରୋହିତ ଶର୍ମାଙ୍କୁ ସମସ୍ତଙ୍କର ବହୁତ ବଡ ଆଶା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.