ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଜାରି
1/03/2020 at 9:32 PM

କ୍ରାଏଷ୍ଟଚର୍ଚ୍ଚ ୦୧/୦୩- ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଜାରି । କ୍ରାଏଷ୍ଟ ଚର୍ଚ୍ଚରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ଟିମ୍ ପରାଜୟର ଦ୍ବାରଦେଶରେ । ପୂର୍ବରୁ ପ୍ରଥମ ଟେଷ୍ଟ ହାରି ଭାରତ ସିରିଜ୍ରେ ୧-୦ରେ ପଛୁଆ ଅଛି । ଏହା ଆଗରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାନ୍ଡେ ସିରିଜ୍ ହାରିସାରିଛି ଟିମ୍ ।କେବଳ ଗସ୍ତ ଆରମ୍ଭରୁ ଟି-ଟ୍ବେଣ୍ଟି ସିରିଜ୍ରେ କ୍ଲିନ୍ ସ୍ବିପ୍ କରିଥିଲା ଭାରତୀୟ ଟିମ୍ ।…

ଟି-ଟ୍ବେଣ୍ଟିରେ ଦମ୍ଦାର ପ୍ରଦର୍ଶନ । ସିରିଜକୁ ୫-୦ରେ ପୋଛିନେଲା ଟିମ୍ ଇଣ୍ଡିଆ ।ହେଲେ ତା ପରେ ୱାନ୍ଡେ ଏବଂ ଟେଷ୍ଟ ସିରିଜ୍ରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ। କଣ ହୋଇଛି ବିରାଟ ବାହିନୀକୁ । ତିନିଟି ୱାନଡେ ମ୍ୟାଚ୍ରେ ଲଗାତର ହାରିଲା ଟିମ୍ ଇଣ୍ଡିଆ । ସେମିତି ପ୍ରଥମ ଟେଷ୍ଟ ୪ ଦିନରେ ସରିଲା, ୧୦ ୱିକେଟରେ ହାରିଲା ଭାରତ। ଆଉ ଏବେ ଚାଲିଥିବା କ୍ରାଏଷ୍ଟଚର୍ଚ୍ଚ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୬ ୱିକେଟ ହରାଇ ମାତ୍ର ୯୦ ରନ୍ କରିଛି । ପୂର୍ବରୁ ପ୍ରଥମ ଇନିଂସରେ ମାତ୍ର ୭ ରନ୍ ଲିଡ୍ ନେଇଥିବା ଭାରତୀୟ ଟିମ୍ ଏବେ ହାତରେ ଆଉ ମାତ୍ର ୪ ୱିକେଟ୍ ଥାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । କଣ ପ୍ରଥମ ଟେଷ୍ଟ ଭଳି ଟିମ୍ ଇଣ୍ଡିଆ ପରାଜୟ ଆଡକୁ ଆଗଉଛି କି। ଯଦି ନ୍ୟୁଜିଲ୍ୟାଣ୍ଡ ପୂର୍ବଭଳି ଖେଳ ଦେଖାଏ ତେବେ ଭାରତ ଏ ଟେଷ୍ଟ ବି ହାତଛଡ଼ା କରିବ।

ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଋଷଭ ପନ୍ତ ୧ ରନ୍ ଓ ହନୁମା ବିହାରୀ ୫ ରନ୍ କରି ନଟ୍ ଆଉଟ୍ ଅଛନ୍ତି । କ୍ୟାପଟେନ କୋହଲି ମାତ୍ର ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟ ଟପ୍ ଅର୍ଡର ବ୍ୟାଚ୍ସମ୍ୟାନ୍ କିଛି କାରନାମା ଦେଖାଇ ପାରିନାହାନ୍ତି । ତେବେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡରେ କାହିଁକି ଏପରି ଖରାପ ପ୍ରଦର୍ଶନ ଜାରି ରଖିଛି ।କଣ ଏହା ୯୦ ଦଶକର ସେହି ଭାରତୀୟ ଟିମ୍ ଭଳି ହୋଇଯାଇଛି ଯାହାକି ବିଦେଶ ଗସ୍ତରେ ସବୁବେଳେ ପରାଜୟର ମୁହଁ ଦେଖୁଥିଲା ।

ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ଭିତରେ କଳ୍ପନାଜଳ୍ପନା ଲାଗି ରହିଛି । ଭାରତୀୟ ଟିମ୍ କେବଳ ବ୍ୟାଟିଂରେ ଫେଲ୍ ମାରୁଛି ତାହା ନୁହେଁ ବୋଲିଂ ଓ ଫିଲଡିଂରେ ବି ସେମିତି କିଛି ଚମକ ଦେଖାଇପାରିନାହିଁ । କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ କହିବା ଅନୁସାରେ ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳିଙ୍କ ସ୍ଥାନ ପକ୍କା ରହୁନଥିବାରୁ ସେମାନେ ଦମଦାର ପ୍ରଦର୍ଶନ କରିପାରୁନାହାନ୍ତି । ପ୍ରାୟ ପ୍ରତି ମ୍ୟାଚ୍ରେ ଭାରତର ଗୋଟିଏ ଗୋଟିଏ ନୂଆ ଟିମ୍ ଖେଳୁଛି ।କେ ଏଲ୍ ରାହୁଲଙ୍କ ଭଳି ଦମଦାର ପ୍ରଦର୍ଶନ କରୁଥିବା ବ୍ୟାଟ୍ସମ୍ୟାନ୍ଙ୍କୁ ଟେଷ୍ଟ ଟିମ୍ରେ ସାମିଲ କରାନଯିବାକୁ ମଧ୍ୟ କପିଲ ସମାଲୋଚନା କରିଛନ୍ତି । ଘରୋଇ ପିଚ୍ରେ ଖୁବ ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ଟିମ୍ ବିଦେଶ ମାଟିରେ କାହିଁକି ହଠାତ୍ ଚିତ୍ ପଟାଙ୍ଗ ମାରୁଛି ତାକୁ ନେଇ ପୁଣି ଥରେ ଆରମ୍ଭ ହୋଇଯାଇଛି ପୋଷ୍ଟମର୍ଟମ୍ ।…

ଫେବ୍ରୁଆରୀ ୫ରେ ହାମିଲଟନ୍ରେ ପ୍ରଥମ ୱାନଡେରେ ଟିମ୍ ଇଣ୍ଡିଆକୁ ୪ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ ।ଏହାପରେ ଫେବ୍ରୁଆରୀ ୮ରେ ଅକଲ୍ୟାଣ୍ଡରେ ଦ୍ବିତୀୟ ୱାନଡେରେ ନ୍ୟୁଜିଲାଣ୍ଡ ୨୨ ରନ୍ରେ ବିଜୟ ହାସଲ କଲା । ଫେବ୍ରୁଆରୀ ୧୧ରେ ମାଉଣ୍ଟ ମାଉଙ୍ଗନୁଇରେ ନ୍ୟୁଜିଲାଣ୍ଡ ୫ ୱିକେଟରେ ହାରିଯାଇଛି । ଏହାପରେ ଫେବ୍ରୁଆରୀ ୨୧ରୁ ହୋଇଥିବା ୱେଲିଂଟନ୍ ଟେଷ୍ଟରେ ୧୦ ୱିକେଟରେ ପରାଜିତ ହୋଇଥିଲା ଭାରତୀୟ ଟିମ୍ ।
