‘ମାନସିକ ସ୍ତରରେ ଦୁର୍ବଳ ଟିମ୍‌ ଇଣ୍ଡିଆ’, ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ପ୍ରଶ୍ନ ଉଠାଇଲେ ଗମ୍ଭୀର

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧: ପ୍ରଥମେ ପାକିସ୍ତାନ ଏବଂ ପରେ ନ୍ୟୁଜିଲାଣ୍ଡ ପାଖରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରବିବାର ଭାରତୀୟ କ୍ରିକେଟ ଟିମ୍‌ ୮ ଓ୍ବିକେଟରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଛି। ଏହି ପରାଜୟ ସହ ଟିମ୍‌ ଇଣ୍ଡିଆର ବିଶ୍ବକପ୍‌ ସେମିଫାଇନାଲରେ ପହଞ୍ଚିବା ଆଶା ମଧ୍ୟ ମଉଳି ଯାଇଛି। ଟିମ୍‌ର ଶୋଚନୀୟ ପରାଜୟକୁ ନେଇ ବହୁ ବରିଷ୍ଠ ଖେଳାଳି ଏବେ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଟିମ୍‌ରେ ଥିବା ଅସୁବିଧା ସମ୍ପର୍କରେ ଖୋଲାଖୋଲି ଭାବେ କହିଛନ୍ତି। ​

‌ସେ କହିଛନ୍ତି, ‘ଏହି ଭାରତୀୟ ଟିମ୍‌ ଏତେ ମେଣ୍ଟାଲ୍‌ ଟଫ୍‌ ନୁହେଁ, ଯିଏ ନକଆଉଟ୍‌ ମ୍ୟାଚ୍‌ରେ ପ୍ରେସରକୁ ସମ୍ଭାଳିପାରିବ।’ ଇଏସପିଏନ୍‌ କ୍ରିକ୍‌ଇନଫୋକୁ ପ୍ରତିକ୍ରିୟା ଦେଇ ଗମ୍ଭୀର କହିଛନ୍ତି, ଟିମ୍‌ ଇଣ୍ଡିଆରେ ବହୁତ ଭଲ ଖେଳାଳି ଅଛନ୍ତି। କିନ୍ତୁ ବଡ଼ ମ୍ୟାଚ୍‌ରେ ବିଜୟୀ ହେବାକୁ ହେଲେ ମାଇଣ୍ଡସେଟ୍‌ ମଧ୍ୟ ସେମିତି ହେବା ଦରକାର। ମଜଭୁତ ମାନସିକତା ନେଇ ପଡ଼ିଆକୁ ନ ଓହ୍ଲାଇଲେ ସଫଳତା ମିଳିବ ନାହିଁ ।

ସେ କହିଛନ୍ତି, ନ୍ୟୁଜିଲାଣ୍ଡ ସହ ମ୍ୟାଚ୍‌ କ୍ବାର୍ଟର ଫାଇନାଲ ଭଳି ଥିଲା। ଏହି ମ୍ୟାଚ୍‌ରେ କୌଣସି ପ୍ରକାର ଭୁଲ ନକରି ଜିତିବାକୁ ହୁଏ। ବାଇଲାଟେରାଲ୍‌ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନର ମଉକା ଥାଏ କିନ୍ତୁ ଏହି ଭଳି ମ୍ୟାଚରେ ପଛରେ ପଡ଼ିଗଲେ ପୁଣି ଥରେ ଫେରି ପାଇବା ମୁସ୍କିଲ ହୋଇଯାଏ ବୋଲି ଗମ୍ଭୀର କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାଟ୍ସମ୍ୟାନ୍‌ ଭଲ ଶଟ୍‌ ଖେଳିବା ନେଇ ଉତ୍ସାହ ପ୍ରକାଶ କରିନଥିଲେ। ଅଧିକାଂଶ ବ୍ୟାଟ୍ସମ୍ୟାନ ସହଜ କ୍ୟାଚ୍‌ ଆଉଟ ହୋଇ ପାଭିଲିୟନ୍‌ ଫେରିଥିଲେ।  

ଭାରତୀୟ ପାଳିରେ ମୋଟ ୫୪ ଡଟ ବଲ୍‌ ପଡ଼ିଥିଲା। ଏହାର ଅର୍ଥ ୯ ଓଭରରେ ଗୋଟିଏ ବି ରନ୍‌ ହୋଇନଥିଲା। ପିଚ୍‌ରେ କୌଣସି ପ୍ରକାର ଅସୁବିଧା ନଥିଲା। ପୁଣି ଥରେ ଟିମ୍‌ ଚୟନ ନେଇ ଭାରତୀୟ କ୍ରିକେଟ ଟିମ୍‌ ଜୋରଦାର ଝଟକା ଖାଇଥିଲା। ପ୍ରଥମେ ଖେଳି କିଓ୍ବି ଟିମ୍‌ ସାମ୍ନାରେ ମାତ୍ର ୧୧୦ରନ୍‌ ବିଜୟ ଲକ୍ଷ ରଖିଥିଲା ଭାରତ। ଏହି ରନ୍‌ ଦୁଇ ଓ୍ବିକେଟ ବିନିମୟରେ ସଂଗ୍ରହ କରିନେଇଥିଲା ନ୍ୟୁଜିଲାଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.