ଅଷ୍ଟ୍ରେଲିଆରେ ପହଁଚିଲା ବିରାଟ ସେନା, କ୍ୱାରେଣ୍ଟାଇନରେ ରହିବେ ଦଳର ସମସ୍ତ ସଦସ୍ୟ

Published By : Prameya-News7 Bureau | November 13, 2020 IST

ସିଡନୀ,୧୩/୧୧: ଟେଷ୍ଟ୍, ଦିନିକିଆ ଓ ଟି୨୦ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିଛି। ଭାରତୀୟ ଦଳର ଖେଳାଳି, କୋଚ୍‌, ସହକାରୀ କୋଚ୍‌ ଓ ଖେଳାଳିଙ୍କ ପରିବାର ସମେତ ଟିମ୍‌ର ଅନ୍ୟ ସଦସ୍ୟମାନେ ସିଡନୀର ଏକ ହୋଟେଲରେ ପହଞ୍ଚି କ୍ୱାରେଣ୍ଟାଇନରେ ରହିଛନ୍ତି। ସେଠାରେ ଦଳ ପାଇଁ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି ।

ଦୁବାଇରୁ ଏକ ଚାର୍ଟାର ବିମାନ ଯୋଗେ ଭାରତୀୟ ଦଳ ଆସି ସିଡନୀ ବିମାନ ବନ୍ଦରରେ ପହଁଚିଥିଲା । ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଖେଳାଳି ଡେଭିଡ୍‌ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ପ୍ୟାଟ୍‌ କମିନ୍ସ, ଜୋସ ହାଜେଲଉଡ୍‌, ଗ୍ଳେନ ମ୍ୟାକ୍ସୱେଲ୍‌ ପ୍ରମୁଖ ସମାନ ବିମାନରେ ଯାତ୍ରା କରିଥିଲେ ।

ସିଡନୀ ଅଲମ୍ପିକ ପାର୍କ ସ୍ଥିତ ପୁଲମାନ ହୋଟେଲରେ ଭାରତୀୟ ଦଳ ରହିବ । କ୍ୱାରେଣ୍ଟାଇନ୍‌ ଅବଧି ମଧ୍ୟରେ ଦଳକୁ ଅଭ୍ୟାସ କରିବାକୁ ନ୍ୟୁ ସାଉଥ୍‌ ୱେଲ୍ସ ସରକାର ଅନୁମତି ଦେଇଛନ୍ତି । ସେହିପରି ବ୍ଲାକଟାଉନ୍‌ ଇଣ୍ଟରନାସନାଲ ସ୍ପୋର୍ଟ୍ସ ପାର୍କ ଗ୍ରାଉଣ୍ଡରେ ଭାରତୀୟ ଦଳର ଅଭ୍ୟାସ ପାଇଁ ବ୍ୟବସ୍ଥା କରାଯାଇଛି । ଗ୍ରାଉଣ୍ଡକୁ ମଧ୍ୟ ଜୈବ ସୁରକ୍ଷା ବଳୟ ପରିସରଭୁକ୍ତ କରାଯାଇଛି ।

ଆସନ୍ତା ୨୬ ତାରିଖ ଯାଏଁ ଭାରତୀୟ ଦଳ ଉକ୍ତ ହୋଟେଲରେ ଅବସ୍ଥାନ କରିବ । ଏହାକୁ ନ୍ୟୁ ସାଉଥ୍‌ ୱେଲ୍ସ ରଗବୀ ଦଳ (ନ୍ୟୁ ସାଉଥ୍‌ ୱେଲ୍ସ ବ୍ଲ୍ୟୁଜ୍‌)ପ୍ରତି ସିଜନରେ ଘରୋଇ ହୋଟେଲ ଭାବେ ବ୍ୟବହାର କରିଥାଏ । ଭାରତୀୟ ଦଳ ପାଇଁ ଏହି ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଥିବାରୁ ନ୍ୟୁ ସାଉଥ୍‌ ୱେଲ୍ସ ବ୍ଲ୍ୟୁଜ୍‌ ଦଳକୁ ରହିବା ପାଇଁ ଅନ୍ୟ ଏକ ହୋଟେଲ ପଠା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.