ଆଇସିସି ୱାର୍ଲଡକପ୍-୨୦୧୯: ଜାଣନ୍ତୁ ବିଶ୍ବକପରେ ଭାରତର ଇତିହାସ
27/05/2019 at 4:45 PM

ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ବକପ୍-୨୦୧୯। ଏହି ଟୁର୍ଣ୍ଣାମେଣ୍ଟରେ ଜୁନ ୫ ତାରିଖ ଦିନ ସାଉଥ ଆଫ୍ରିକାକୁ ଭେଟିବ ଭାରତ। ଦୁଇଦୁଇଥର ବିଶ୍ବବିଜେତା ଭାରତ ଟ୍ରଫି ପାଇଁ ପୁଣିଥରେ ଲଢିବ। ଏଥି ନିମନ୍ତେ ସାଉଥମ୍ପଟନରୁ ଜୟଯାତ୍ରା ଆରମ୍ଭ କରିବାକୁ ଏବେ ଡେରାର ପକାଇଛି ଲଣ୍ଡନରେ।

ଭାରତର ବିଶ୍ବକପ୍ ଇତିହାସ ଉପରେ ନଜର ପକାଇଲେ ୧୯୭୫ ଓ ୧୯୭୯ରେ କେବଳ ଗୃପ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିଥିଲା। ଉଭୟ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ୬ଟି ମ୍ୟାଚ୍ ରୁ ଭାରତ ମାତ୍ର ଗୋଟିଏ ଜିତି ପାରିଥିଲା। ତେବେ ୧୯୮୩ରେ ବିଶ୍ବକପ ଚାମ୍ପିୟନ ହୋଇଥିଲା ଭାରତ। ପରବର୍ତ୍ତି ବିଶ୍ବକପରେ ଦୃଢ ଇଛାଶକ୍ତି ସତ୍ତ୍ବେ ଭାରତୀୟ ଟିମ୍ ସେମିଫାଇନାଲରୁ ଆଗକୁ ଯାଇପାରିନଥିବା ବେଳେ ୧୯୯୨ରେ ରାଉଣ୍ଡ ରବିନ ଷ୍ଟେଜରୁ ପ୍ରସ୍ଥାନ କରିବାକୁ ବାଧ୍ୟ ହୋଇଥିଲା।

୧୯୯୬ ମସିହା ବିଶ୍ବକପ୍ ଏସିଆରେ ଖେଳାଯାଇଥିଲା। ତେବେ ଭାରତ କେବଳ ସୁପର-୬ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ଯଦିଓ ୨୦୦୩ ବିଶ୍ବକପ୍ ରେ ଭାରତ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲା ତେବେ ଅଷ୍ଟ୍ରେଲିଆ ଯୋଗୁ ଟାଇଟଲରୁ ବଞ୍ଚିତ ହୋଇଥିଲା ଟିମ୍। ୨୦୦୭ରେ ବାଂଲାଦେଶ ଯୋଗୁ ଗୃପଷ୍ଟେଜରୁ ଆଉଟ ହୋଇଥିବା ଟିମ୍ ଇଣ୍ଡିଆ ୨୦୧୧ରେ ପୁଣି ବିଶ୍ବବିଜେତା ହୋଇଥିଲା। ତେବେ ୨୦୧୫ ବିଶ୍ବକପରେ ଭାରତର ଯାତ୍ରା କେବଳ ସେମିଫାଇନାଲ ପ୍ରର୍ଯ୍ୟନ୍ତ ଥିଲା।

ବିଶ୍ବକପ୍ କ୍ରିକେଟରେ ଭାରତ ଏପର୍ଯ୍ୟନ୍ତ ମୋଟ ୭୫ଟି ମ୍ୟାଚ୍ ଖେଳିଛି। ଏଥିରୁ ୪୬ଟିରେ ବିଜୟୀ ହୋଇଥିବା ବେଳେ ୨୭ଟି ହାରିଛି ଓ ୨ ଟି ମ୍ୟାଚ୍ ଡ୍ର ରହିଛି । ତେବେ ବିଶ୍ବକପରେ ଅଷ୍ଟ୍ରେଲିଆ ସର୍ବାଧିକ ୮ ଥର ଭାରତକୁ ପରାସ୍ତ କରିଛି । ସେହିପରି ବିଶ୍ବକପରେ ଭାରତ ଜିମ୍ବାୱେକୁ ୮ ଥର ହରାଇଥିବା ବେଳେ ୟୁଏଇ, ପାକିସ୍ତାନ, ନେଦରଲ୍ୟାଣ୍ଡସ, ନାମିବ୍ୟା, କେନ୍ୟା, ଆୟର୍ଲାଣ୍ଡ, ଇଷ୍ଟଆଫ୍ରିକା ଓ ବାରମୁଡା ଭଳି ୮ଟି ଦେଶ ବିଶ୍ବକପରେ କେବେ ଭାରତକୁ ହରାଇ ପାରିନଥିବାର ରେକର୍ଡ ରହିଛି ।