ଟିମ୍ ଇଣ୍ଡିଆକୁ ମିଳିଲା ନୂତନ ଅନିଲ କୁମ୍ବଲେ, ଭିଡିଓ ପୋଷ୍ଟ କରି ସୂଚନା ଦେଲା ବିସିସିଆଇ

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦।୦୧: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ନିଜର ଦ୍ରୁତ ୟର୍କର ବଲ୍‌ ପାଇଁ ବିଶ୍ଵ କ୍ରିକେଟ୍‌ରେ ପରିଚିତ। ସଂପ୍ରତି ସେ ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଜଣେ। ବଡ ବଡ ବ୍ୟାଟସମ୍ୟାନଙ୍କୁ ନୟାନ୍ତ କରିଥିବା ଯଶପ୍ରୀତ ବୁମରା ଏବେ ଲେଗ୍ ସ୍ପିନର ହୋଇଯାଇଛନ୍ତି। ବୁମରା ଏବେ ଅନିଲ କୁମ୍ବଲେଙ୍କ ପରି ବୋଲିଂ କରିବାରେ ଲାଗିଛନ୍ତି। ବିସିସିଆଇ ଶନିବାର ବୁମରାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଏଥିରେ ବୁମରା ଅନିଲ କୁମ୍ବଲେଙ୍କ ଶୈଳୀରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ବଡ କଥା ତାଙ୍କ ଲାଇନ୍‌ ଲେଙ୍ଗ୍‌ଥ ମଧ୍ୟ ଠିକ୍ ରହିଥିଲା।

ବିସିସିଆଇ ଯଶପ୍ରୀତ ବୁମରାଙ୍କ ଭିଡିଓ ପୋଷ୍ଟ କରି ଲେଖଛି ଯେ, ଆମେ ଯଶପ୍ରୀତ ବୁମରାଙ୍କ ଅଗ୍ନିବର୍ଷୀ ୟର୍କର ଏବଂ ଦ୍ରୁତ ବାଉନ୍ସର ଦେଖିଛେ। ଏବେ ଏଠାରେ ଦେଖନ୍ତୁ ତାଙ୍କର ଅଭିନବ ଅନ୍ଦାଜ। ଯଶପ୍ରୀତ ବୁମରା ମହାନ ଲେଗ୍ ସ୍ପିନର ଅନିଲ କୁମ୍ବଲେଙ୍କ ଅବିକଳ ଶୈଳୀରେ ବୋଲିଂ କରୁଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ,  ଅନିଲ କୁମ୍ବଲେ ଭାରତର ସବୁଠୁ ବଡ ମ୍ୟାଚ୍ ବିଜେତାଙ୍କ ମଧ୍ୟରୁ ଜଣେ। ଏହି ମହାନ  ବୋଲର ଟେଷ୍ଟ କ୍ରିକେଟ୍‌ରେ ୬୧୯ ଓ୍ଵିକେଟ୍ ନେଇଛନ୍ତି। ଗୋଟିଏ ଇନିଂସରେ ୧୦ ଓ୍ଵିକେଟ୍ ନେବା ରେକର୍ଡ ତାଙ୍କ ନାମରେ ରହିଛି। ୧୯୯୯ରେ ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ କୁମ୍ବଲେ ଏହି ରେକର୍ଡ କରିଛନ୍ତି। କୁମ୍ବଲେଙ୍କ ପରି ଯଶପ୍ରୀତ ବୁମରା ମଧ୍ୟ ଭାରତୀୟ ଦଳ ପାଇଁ ମ୍ୟାଚ୍‌ ବିଜେତା ଖେଳାଳି ହୋଇ ସାରିଛନ୍ତି।

ବୁମରା ଟେଷ୍ଟ, ଦିନିକିଆ ଓ ଟି-୨୦ରେ ନିଜର ଶାଣିତ ବୋଲିଂ ବଳରେ ଦଳକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ବୁମରା ୧୭ଟି ଟେଷ୍ଟରୁ ୭୯ ଓ୍ଵିକେଟ୍ ନେଇଥିବା ବେଳେ ୬୯ ଦିନିକିଆରୁ ୧୦୮ ଏବଂ ୫୦ ଟି-୨୦ ମ୍ୟାଚ୍‌ରେ ୫୯ ଓ୍ଵିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ, ବୁମରା ଏ ପର୍ଯ୍ୟନ୍ତ ନିଜର ସମସ୍ତ ଟେଷ୍ଟ ବିଦେଶ ମାଟିରେ ହିଁ ଖେଳିଛନ୍ତି। ଇଂଲଣ୍ଡ ବିପକ୍ଷ ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ତାଙ୍କର ପ୍ରଥମ ଘରୋଇ ମୁକାବିଲା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.