ଭାରତୀୟ କ୍ରିକେଟ୍ ଟିମ୍‌କୁ ମିଳିଲେ ଆଉ ଜଣେ ଅଲରାଉଣ୍ଡର, ଜାଣନ୍ତୁ ସେ କିଏ

Published By : Prameya-News7 Bureau | July 21, 2019 IST

ନୂଆଦିଲ୍ଲୀ ୨୧|୭: ଭାରତୀୟ କ୍ରିକେଟ୍ ଟିମ୍ ରେ ଏବେ ବହୁ କ୍ରିକେଟର ଭଲ ଫର୍ମରେ ରହି ଖେଳୁଛନ୍ତି । ମାତ୍ର ଭାରତୀୟ କ୍ରିକେଟ୍ ଟିମ୍ କୁ ମଧ୍ୟକ୍ରମରେ ଭଲ ଫର୍ମର ଖେଳାଳିଙ୍କ ଆବଶ୍ୟକତା ରହିଛି । ଭାରତୀୟ କ୍ରିକେଟ୍ ଦଳର ଚୟନକର୍ତ୍ତା କମିଟି ଟିମ୍ ଇଣ୍ଡିଆର ମଧ୍ୟକ୍ରମର ସମସ୍ୟାର ସମାଧାନ ପାଇଁ ପ୍ରାୟ ୧୦ ଖେଳାଳିଙ୍କ ଉପରେ ଭରଷା କରିଥିଲା । ମାତ୍ର ସେମାନେ ଟିମ୍ ମ୍ୟାନେଜମେଣ୍ଟର ଭରଷାଯୋଗ୍ୟ ହୋଇପାରିନାହାନ୍ତି । ସେମାନଙ୍କ ମଧ୍ୟରେ ରହିଥିଲେ ହନୁମା ବିହାରୀ । ତେବେ ଟେଷ୍ଟ ଇପେକ୍ଷା ଏକଦିବସୀୟ ଟିମ୍ ପାଇଁ ହନୁମା ବିହାରୀଙ୍କୁ ଚୟନ କରାଯାଇଥିଲେ ସେ ଆହୁରି ଭଲ ପ୍ରଦର୍ଶନ କରିଥାନ୍ତେ ବୋଲି ବିଶେଷଜ୍ଞମାନେ ଚର୍ଚ୍ଚା କରୁଛନ୍ତି ।

୨୫ବର୍ଷୀୟ ହନୁମା ବିହାରୀ ରଣଜୀ ଟ୍ରଫିରେ ୩ବର୍ଷ ଧରି କମାଲ କରିଆସୁଥିବାବେଳେ ତାଙ୍କୁ ଭାରତୀୟ ଟେଷ୍ଟ ଟିମ୍ ରେ ଏଣ୍ଟ୍ରି ମିଳିଥିଲା । ଭାରତୀୟ ଟେଷ୍ଟ ଟିମ୍ ରେ ନିଜ ସ୍ଥାନ ପକ୍କା କରିବା ପରେ ଭଲ ଫର୍ମରେ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ଭଲ ବୋଲିଂ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଟେଷ୍ଟ ଟିମ୍ ରେ ସ୍ଥାନ ପାଇବା ପରେ ଏବେ ସେ ଏକଦିବସୀୟ ଟିମ୍ ରେ ସାମିଲ ହେବା ପାଇଁ ଚାହୁଁଛନ୍ତି । ସେଥିପାଇଁ ଟେଷ୍ଟ ମ୍ୟାଚ୍ ରେ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।

ବର୍ତ୍ତମାନ ହନୁମା ବିହାରୀ ଇଣ୍ଡିଆ ଏ ଟିମ୍ ସହ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି । ଓ୍ବେଷ୍ଟଇଣ୍ଡିଜ୍ ଏ ବିପକ୍ଷରେ ହନୁମା ଭଲ ପ୍ରଦର୍ଶନ କରିଛନ୍ତି । ସେ ୮୬ ରନ୍ କରିବା ସହ ଦୁଇଟି ଓ୍ବିକେଟ୍ ନେବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ହନୁମା ଡାହାଣ ହାତି ବ୍ୟାଟ୍ସମ୍ୟାନ୍ ସହ ଡାହାଣ ହାତି ସ୍ପିନର ମଧ୍ୟ । ବୋଲିଂ ଅପେକ୍ଷା ହନୁମାଙ୍କ ବ୍ୟାଟିଂ ପ୍ରଦର୍ଶନ ବେଶ୍ ଭଲ ରହିଛି ।

ଏସବୁ ସତ୍ତ୍ବେ ହନୁମା ବିହାରୀଙ୍କୁ ଏକଦିବସୀୟ ଟିମ୍ ରେ ସ୍ଥାନ ମିଳିନାହିଁ । ଯଦି ତାଙ୍କୁ ଏକଦିବସୀୟ କ୍ରିକେଟ୍ ଟିମ୍ ରେ ସ୍ଥାନ ମିଳିଥାନ୍ତା ତେବେ ଭାରତୀୟ ଟିମ୍ ର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସମସ୍ୟାର ସମାଧାନ ହୋଇଥାନ୍ତା ବୋଲି କ୍ରିକେଟ୍ ପ୍ରେମୀ ମହଲରେ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍ ର ଘୋଷଣା ହୋଇଛି । ଟେଷ୍ଟ ସିରିଜ୍ ରେ ହନୁମା ବିହାରୀଙ୍କୁ ସ୍ଥାନ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.