Ind Vs Eng: କିଏ କରିବ ଓପନିଂ, ହାର୍ଦ୍ଦିକ କରିବେ କି ବୋଲିଂ ? ଆସନ୍ତାକାଲି ପ୍ରଥମ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ମିଳିବ ଉତ୍ତର

Published By : Prameya-News7 Bureau | October 17, 2021 IST

ନୂଆଦିଲ୍ଲୀ ୧୭।୧୦: ଭାରତୀୟ ଦଳ ଅକ୍ଟୋବର ୨୪ରୁ ନିଜର ଟି-୨୦ ଅଭିଯାନ ଆରମ୍ଭ କରିବ। ମାତ୍ର ଏହା ପୂର୍ବରୁ ସୋମବାର ହେଉଛି ବଡ ଦିନ। ଅକ୍ଟୋବର ୧୮ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଭାରତୀୟ ସମୟନୁସାରେ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଭାରତୀୟ ଦଳ ପାଇଁ ଏହି ମୁକାବିଲା ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଟି-୨୦  ବିଶ୍ଵ କପ୍‌ରେ ପାକିସ୍ତାନ ସହ ମୁକାବିଲା ପୂର୍ବରୁ ଭାରତ କିଛି ପ୍ରଶ୍ନର ଉତ୍ତର ପାଇବାକୁ ଚାହିଁବ।

ଭାରତ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ହାର୍ଦ୍ଦିକ ପାଣ୍ଡ୍ୟା  ବୋଲିଂ ନକରିବା। ଆଇପିଏଲ ୨୦୨୧ରେ ହାର୍ଦ୍ଦିକ ସଂପୂର୍ଣ୍ଣ ବୋଲିଂ କରି ନାହାନ୍ତି। ଯଦି ଏମିତି ହୁଏ ତେବେ ତାଙ୍କୁ  ଚୂଡାନ୍ତ ଏକାଦଶରେ ସାମିଲ୍ କରାଇବା ମୁସ୍କିଲ ହୋଇପାରେ। ଏମିତିରେ ସମସ୍ତେ ଆଶା କରିବେ ଯେ, ଓ୍ଵାର୍ମ ଅପ ମ୍ୟାଚ୍‌ରେ ହାର୍ଦ୍ଦିକ  ବୋଲିଂ କରନ୍ତୁ।

ଏହା ବ୍ୟତୀତ ଓପନିଂକୁ ନେଇ ମଧ୍ୟ ଓ୍ଵାର୍ମ ଅପ୍‌ ମ୍ୟାଚ୍‌ରେ କିଛି ପ୍ରୟୋଗ କରାଯାଇପାରେ।  ବିରାଟ କୋହଲି ପ୍ରଥମରୁ କହି ସାରିଛନ୍ତି ଯେ, ସେ ଓପନିଂ କରିବାକୁ ପସନ୍ଦ କରିବେ। ମାତ୍ର ଆଇପିଏଲରେ କେଏଲ ରାହୁଲଙ୍କ ଫର୍ମ ଦମଦାର ରହିଛି। ଏହା ବ୍ୟତୀତ ଦଳରେ ଇଶାନ କିଶନଙ୍କ ଏଣ୍ଟ୍ରି ହୋଇଛି। ତେଣୁ ଭାରତୀୟ ଦଳ ଓପନିଂରେ କାହାକୁ ସୁଯୋଗ ଦେବ ତାହା ଦେଖିବା ବାକି ରହିଲା।

କଣ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ କି ରୋହିତ- ବିରାଟ ନା ରୋହିତ-ଇଶାନ ଯୋଡି ପ୍ରୟୋଗ କରାଯିବ। ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ପୂର୍ବରୁ ଭାରତ ନିଜର ଚିନ୍ତା ଦୂର କରିବାକୁ ଚାହିଁବ। ଇଶାନ କିଶନ ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ତେଣୁ ଚୂଡାନ୍ତ ଏକାଦଶରେ ମଧ୍ୟ ତାଙ୍କର ଦାବିଦାର ମଜବୁତ ହୋଇଛି। ହେଲେ ଦଳ ପାଖରେ ଋଷଭ ପନ୍ତଙ୍କ ରୂପେ ବିସ୍ଫୋରକ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଅଛନ୍ତି।

ବୋଲିଂ ଉପରେ ନଜର ପକାଇଲେ ବିରାଟ କୋହଲି ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ  ଅଶ୍ଵିନ-ଜାଡେଜା ଯୋଡିଙ୍କୁ ପ୍ରୟୋଗ କରିବାକୁ ଚାହିଁବେ। ଏପରି ହୋଇପାରେ ରାହୁଲ ଚହର-ବରୁଣ ଚକ୍ରବର୍ତ୍ତୀଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ମଧ୍ୟ ଦେଇ ପାରନ୍ତି।  ସ୍ପିନ ବିଭାଗକୁ ନେଇ ଦଳୀୟ ପ୍ରବନ୍ଧକଙ୍କୁ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡିବ। ଭାରତକୁ ଇଂଲଣ୍ଡ  ବ୍ୟତୀତ ଅଷ୍ଟ୍ରେଲିଆ ସହିତ ମଧ୍ୟ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ପଡିବ।

ବିଶ୍ଵ କପ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ଵିନ, ଶାର୍ଦ୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ମହମ୍ମଦ ଶାମି।

ରିଜର୍ଭ ଖେଳାଳି- ଶ୍ରେୟସ ଆୟର, ଦୀପକ ଚହର, ଅକ୍ଷର ପଟେଲ୍।

ଇଂଲଣ୍ଡ ଦଳ

ଇଅନ ମୋର୍ଗାନ(ଅଧିନାୟକ), ଜାସନ ରୟ, ସାମ ବିଲିଙ୍ଗ୍ସ, ଲିୟାମ ଓ୍ଵିଲିଙ୍ଗଷ୍ଟୋନ, ଡେଭିଡ ମଲାନ, ଜୋସ ବଟଲର, ଜୋନି ବେୟାରଷ୍ଟୋ, ମୋଇନ ଅଲ୍ଲୀ, ଟମ୍ କୁରନ, କ୍ରିସ୍ ଜୋର୍ଡାନ, ଡେଭିଡ୍ ଓ୍ଵିଲି, କ୍ରିସ୍ ଓ୍ଵକ୍ସ, ଟାଇମଲ ମିଲ୍ସ, ଆଦିଲ ରଶିଦ, ମାର୍କ ଉଡ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.