ଟି୨୦ ବିଶ୍ୱକପ : ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | October 18, 2021 IST

ଦୁବାଇ,୧୮/୧୦: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୋମବାର ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିବ । ଆଇପିଏଲ୍‌ ଖେଳି ବିଶ୍ୱକପ୍‌ ଜୈବ ସୁରକ୍ଷା ବଳୟରେ ଯୋଗ ଦେଇଥିବାରୁ ଭାରତୀୟ ଦଳର ଫର୍ମକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପ୍ରାୟତଃ ସମସ୍ତ ଖେଳାଳି ଆଇପିଏଲ୍‌ ଜରିଆରେ ଫର୍ମ ଫେରି ପାଇଛନ୍ତି । କେବଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚିନ୍ତା ରହିଛି । ପାଣ୍ଡ୍ୟାଙ୍କୁ ଅଲ୍‌ରାଉଣ୍ଡର ଭାବେ ଦଳରେ ସାମିଲ କରାଯାଇଛି । ହେଲେ ଫିଟ ହେବା ପରଠାରୁ ସେ ଏପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ କରିନାହାନ୍ତି ।

ଟିମ୍‌ ଇଣ୍ଡିଆ ୨୪ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳିବ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବା ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ୍‌ ଜରିଆରେ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବାକୁ ପ୍ରୟାସ କରିବ । ଉପ ଅଧିନାୟକ ରୋହିତ ଶର୍ମା ବିଶ୍ୱକପ୍‌ରେ ପାଳି ଆରମ୍ଭ କରିବା ନିଶ୍ଚିତ । ତାଙ୍କ ସାଥୀ ଓପନର ଭାବେ ଲୋକେଶ ରାହୁଲ ଓ ଈଶାନ କିଷନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

ସୋମବାର ଇଂଲଣ୍ଡ ବିପକ୍ଷରେ ଉଭୟ ରାହୁଲ ଓ କିଷନ ପାଳି ଆରମ୍ଭ କରିବା ଆଶା କରାଯାଇପାରେ । ଭୁବନେଶ୍ୱର କୁମାର ଓ ଜଶପ୍ରୀତ ବୁମରା ପେସ୍‌ ବିଭାଗ ସମ୍ଭାଳିବେ । ଭାରତ ୩ ଜଣ ସ୍ପିନରଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ନେଇ ଆଶା କରାଯାଉଛି । ରବିନ୍ଦ୍ର ଜାଡେଜାଙ୍କ ବ୍ୟତୀତ ରାହୁଲ ଚହର ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ପରୀକ୍ଷା କରାଇବାକୁ ଅଧିନାୟକ ବିରାଟ କୋହଲି ଲକ୍ଷ୍ୟ ରଖିଛନ୍ତି । ବରୁଣଙ୍କ ବୋଲିଂ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ମୁର୍ଖାମୀ ହେବ । କିନ୍ତୁ ତାଙ୍କ ଫିଟ୍‌ନେସ୍‌ ଦଳ ପାଇଁ ଚିନ୍ତାର କାରଣ ହେବ । ରାହୁଲ ଚହରଙ୍କ ଲେଗ୍‌ ସ୍ପିନ୍‌ ଅପେକ୍ଷାକୃତ ଦ୍ରୁତ ହୋଇଥିବାରୁ ଅଗ୍ରାଧିକାର ଦିଆଯିବ । ଫଳରେ ରବି ଚନ୍ଦ୍ରନ ଅଶ୍ୱିନ ବିଶ୍ରାମ ପାଇବେ ।

ଇଂଲଣ୍ଡ ଦଳ ମୁଖ୍ୟତଃ ବ୍ୟାଟ୍ସମ୍ୟାନଙ୍କ ଉପରେ ନିର୍ଭର କରିବ । ଜୋସ ବଟଲର, ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଇୟନ ମୋର୍ଗାନ ଅଭ୍ୟାସ ମ୍ୟାଚ୍‌ ଜରିଆରେ ଫର୍ମ ଓ ଆତ୍ମବିଶ୍ୱାସ ଫେରିପାଇବାକୁ ପ୍ରୟାସ କରିବେ । ଗତ ଆଇପିଏଲ୍‌ରେ ମୋର୍ଗାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.