ରବି ଶାସ୍ତ୍ରୀଙ୍କୁ ଟିମ ଇଣ୍ଡିଆର କୋଚ୍ ପଦବୀ ନିମନ୍ତେ ପୁଣି ଥରେ କରିବାକୁ ପଡିବ ଆବେଦନ
15/07/2019 at 9:42 PM

ବିସିସିଆଇ ଟିମ୍ ଇଣ୍ଡିଆର କୋଚ୍ ପଦବୀ ସମେତ ସମସ୍ତ ସହାୟକ ପଦବୀ ନିମନ୍ତେ ଖୁବ୍ ଶୀଘ୍ର ଆବେଦନ ମଗାଇ ପାରନ୍ତି। ଯଦି ଭାରତୀୟ ଟିମର ମୁଖ୍ୟ କୋଚ୍ ହେବା ପାଇଁ ରବି ଶାସ୍ତ୍ରୀ ଆଗ୍ରହୀ ହୁଅନ୍ତି ତେବେ ତାଙ୍କୁ ପୁଣି ଆବେଦନ କରିବାକୁ ପଡିବ। ଭାରତୀୟ ଟିମ ସହିତ ରବି ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଭାରତୀୟ ଟିମର ଆଗାମୀ ୱେଷ୍ଟଇଣ୍ଡିଜ୍ ଟୁର ସହ ସମାପ୍ତ ହୋଇଯିବ। ସେହି ପରି ଅନ୍ୟ ସହାୟକ ପଦବୀ ଗୁଡିକର ଷ୍ଟାଫ ମଧ୍ୟ ପରିବର୍ତ୍ତନ ହେବେ।

ସହଯୋଗୀ ଷ୍ଟାଫଙ୍କ ମଧ୍ୟରେ ବୋଲିଂ କୋଚ୍ ଭରତ ଅଋଣ, ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗଡ ଓ ଫିଲ୍ଡିଂ କୋଚ୍ ଭାବେ ଆର.ଶ୍ରୀଧର ଏବେ କାର୍ଯ୍ୟ କରୁଛନ୍ତି। ଇଣ୍ଡିଆ ଟିମର ୱେଷ୍ଟଇଣ୍ଡିଜ ଗସ୍ତ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୩ ରେ ଶେଷ ହେଉଥିବା ଏହି ଟୁର ନିମନ୍ତେ କୋଚ୍ ମାନଙ୍କ କାର୍ଯ୍ୟକାଳ ଅଧିକ ୪୫ ଦିନ ସମ୍ପ୍ରସାରଣ କରାଯାଇଥିଲା। ତେବେ ବିସିସିଆଇଙ୍କ ଆବେଦନ ଆମନ୍ତ୍ରଣ ସହ ଏମାନଙ୍କୁ ପୁଣି ଆବେଦନ କରିବାକୁ ପଡିବ।

ତେବେ ଟିମ ଇଣ୍ଡିଆକୁ ଏଥର ନୂଆ ଟ୍ରେନର ଓ ଫିଜିଓ ମିଳିବେ। କାରଣ ଟ୍ରେନର ଶଙ୍କର ବାସୁ ଓ ଫିଜିଓ ଫରହାର୍ଟ ବିଶ୍ୱକପ୍ ସେମି ଫାଇନାଲରୁ ଭାରତର ପରାଜୟ ସହ ପଦବୀରୁ ହଟି ଯାଇଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ପରେ ପରେ ସେପ୍ଟେମ୍ବର ୧୫ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଆରମ୍ଭ ହେବାକୁ ଯାଉଥିବାରୁ ବିସିସିଆଇଙ୍କ ନିମନ୍ତେ ଏହି ସବୁ ପଦବୀ ପୁରଣ ଅତ୍ୟନ୍ତ ଜରୁରୀ। ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀ ୨୦୧୭ ମସିହାରୁ ଟିମର ମାର୍ଗଦର୍ଶନ କରିଆସୁଛନ୍ତି। ଭାରତୀୟ ଟିମ୍ ର ପୂର୍ବତନ କ୍ୟାପ୍ଟେନ ରବି ଶାସ୍ତ୍ରୀ ମୁଖ୍ୟ କୋଚ୍ ପୂର୍ବରୁ ଟିମର ନିର୍ଦ୍ଦେଶ ଦାୟିତ୍ୱ ମଧ୍ୟ ଦକ୍ଷତାର ସହ ତୁଲାଇଥିଲେ। ତେବେ ଏଥର ବିସିସିଆଇଙ୍କୁ ନୂଆ ଟିମ ମ୍ୟାନେଜର ମଧ୍ୟ ନିଯୁକ୍ତ କରିବାକୁ ବି ପଡିବ