ପରାଜୟ ପରେ ଟିମ୍ ଅଦଳବଦଳ ପ୍ଲାନରେ କୋହଲି : ଗିଲ୍-ଜାଡେଜା-ବୁମରାହଙ୍କ ଉପରେ ଝୁଲିଲା ଖଣ୍ଡା, ଇଂଲଣ୍ଡ ପରିବେଶରେ ଏମାନଙ୍କ ପାଇଁ ରହିଛି ସମସ୍ୟା

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ,୨୫/୦୬ ଭାରତୀୟ କ୍ରିକେଟ୍ ଟିମ୍ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ୱିକେଟରେ ପରାସ୍ତ କରିଛି । ଦଳ ହାରିବା ପରେ ଏବେ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ସମାଲୋଚନାର ଶିକାର ହେଉଛନ୍ତି । ଦଳ ଚୟନଠୁ ଆରମ୍ଭ କରି ଚୁଡାନ୍ତ ଏକାଦଶ ବାଛିବାରେ ଭୁଲ ହୋଇଥିବା ଅନେକ ପୂର୍ବତନ କ୍ରିକେଟର ମଧ୍ୟ ମତ ଦେଇଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜରେ କରିଥିବା ଭୁଲକୁ ସୁଧାରିବା ପାଇଁ  ଟିମ୍ ଇଣ୍ଡିଆ କସରତ ଆରମ୍ଭ କରିଦେଇଛି ।

ଭାରତୀୟ ଦଳ ଅଧିକ ସମୟ ଧରି ଇଂଲଣ୍ଡରେ ରହିବ । ଦଳ ଅଗଷ୍ଟ-ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ ଖେଳିବ । ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୪ରେ ଖେଳାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପୂର୍ବରୁ ଭାରତୀୟ ଦଳ ପାଖରେ ଅଧିକ ସମୟ ରହିଛି । ସିରିଜ୍ ଆରମ୍ଭ ହେବା ପୂର୍ବରୁ ଦଳ ଇଂଲଣ୍ଡ ପରିବେଶ ସହ ଖାପଖୁଆଇବାକୁ ଚାହିଁବ । ଦଳକୁ ଯଦି ଇଂଲଣ୍ଡରେ ଇତିହାସ ରଚିବାକୁ ହୁଏ ତେବେ ଚୁଡାନ୍ତ ଏକାଦଶ ଚୟନ ଉପରେ ଗୁରୁତ୍ୱ ଦେବାକୁ ହେବ ।

ଭାରତୀୟ ଦଳ ୨୦ ଖେଳାଳିଙ୍କୁ ସହ ଇଂଲଣ୍ଡ ଯାତ୍ରା କରିଛି । ପ୍ରଥମ ଟେଷ୍ଟରେ କେଉଁ ୧୧ ଖେଳାଳିଙ୍କୁ ସାମିଲ କରାଯିବ ତାହା ସେମାନଙ୍କର ବର୍ତ୍ତମାନର ପ୍ରଦର୍ଶନ ଉପରେ ନିର୍ଭର କରୁଛି । କୋହଲିଙ୍କୁ ଏଥିପାଇଁ କିଛି ବଡ ପଦକ୍ଷେପ ନେବାକୁ ପଡିବ । କାରଣ ଅନେକ ମ୍ୟାଚ୍ ଓ୍ୱିନର ଇଂଲଣ୍ଡ ମାଟିରେ ଫ୍ଲପ୍ ହୋଇଛନ୍ତି ।

ଏହି ଖେଳାଳି ହେଲେ ଶୁଭମନ ଗିଲ, ରବୀନ୍ଦ୍ର ଜାଡେଜା ଓ ଜସପ୍ରିତ ବୁମରାହ । ଇଂଲଣ୍ଡ ପରିବେଶରେ ଏହି ଖେଳାଳିମାନେ ଫିଟ୍ ହୋଇପାରୁ ନାହାଁନ୍ତି । ଇଂଲଣ୍ଡ ପିଚ୍ ବୋଲରଙ୍କୁ ସୁହାଇଥାଏ । ତେଣୁ ଜାଡେଜାଙ୍କୁ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ସୁଯୋଗ ମିଳିଥିଲା । କିନ୍ତୁ ସେ ଫ୍ଲପ୍ ହୋଇଥିଲେ । ବୋଲିଂରେ ସେ କିଛି କରିସ୍ନା କରିପାରି ନଥିଲେ । ସେ କେବଳ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଜାଡେଜାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରିପାରନ୍ତି । ଶାର୍ଦ୍ଦୁଳ ଭଲ ସ୍ୱିଂ ବୋଲିଂ କରିବା ସହ ବ୍ୟାଟିଂ କରିପାରନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନିଜକୁ ପ୍ରମାଣିତ କରିଥିଲେ । ଶୁଭମନ ଗିଲଙ୍କ ବଦଳରେ ମୟଙ୍କ ଅଗ୍ରଓ୍ୱାଲ କିମ୍ବା କେଏଲ ରାହୁଲଙ୍କୁ ସୁଯୋଗ ମିଳିପାରେ । ସେହିପରି ଦ୍ରୁତ ବୋଲର ଜସପ୍ରିତ ବୁମରାହ ମଧ୍ୟ ଫେଲ୍ ମାରିଥିଲେ । ସେ ଗୋଟିଏ ହେଲେ ଓ୍ୱିକେଟ୍ ନେଇପାରି ନଥିଲେ । ଗତ ୪ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ସେ ମାତ୍ର ୭ଟି ଓ୍ୱିକେଟ୍ ନେଇଛନ୍ତି ।

ବୁମରାହଙ୍କ ସ୍ଥାନରେ କୋହଲି ମହମ୍ମଦ ସିରାଜଙ୍କୁ ସାମିଲ କରିପାରନ୍ତି । ସେ ଅଷ୍ଟ୍ରେଲିଆ ଗସ୍ତରେ ଦମଦାର୍ ପ୍ରଦର୍ଶନ କରିଥିଲେ । ଏପରିକି ସେ ଗୋଟିଏ ଇନିଂସରେ ୫ଟି ଓ୍ୱିକେଟ୍ ନେଇଥିଲେ । ଆଇପିଏଲ-୧୪ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.